ପ୍ରସିଦ୍ଧ କିଚକେଶ୍ବରୀ ମନ୍ଦିରର ହେବ ଉନ୍ନତିକରଣ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଖିଚିଂ ମହୋତ୍ସବ ଅବସରରେ ପ୍ରସିଦ୍ଧ କିଚକେଶ୍ବରୀ ମନ୍ଦିରର ଉନ୍ନତିକରଣ ପାଇଁ ୫୦ କୋଟି ଘୋଷଣା କରିଛନ୍ତି ମୂଖ୍ୟମନ୍ତ୍ରୀ

ମୟୂରଭଞ୍ଜ: ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଖିଚିଂ ପ୍ରସିଦ୍ଧ କିଚକେଶ୍ବରୀ ମନ୍ଦିରର ହେବ ଉନ୍ନତିକରଣ । ଏଥିପାଇଁ ଆନୁଷଙ୍ଗିକ ₹୫୦ କୋଟି ମଂଜୁର କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଖିଚିଂ ମହୋତ୍ସବ ଅବସରରେ ଘୋଷଣା କରିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀ ପାଞ୍ଚପୀଢ଼ ଉପଖଣ୍ଡ ପାଇଁ ପ୍ରାୟ ₹୬୫ କୋଟିର ୫୩ ଟି ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ପ୍ରକଳ୍ପ ମଧ୍ୟରେ ମହିଳା ସଶକ୍ତିକରଣ, ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ ଓ ସଂସ୍କୃତି କ୍ଷେତ୍ର ଇତ୍ୟାଦି ରହିଛି। ଆଗାମୀ ଦିନରେ ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ସମଗ୍ର ପାଞ୍ଚପୀଢ଼ ଅଞ୍ଚଳର ବିକାଶ ଘଟିବ ।

ପର୍ଯ୍ୟଟନ, ଓଡ଼ିଶାର ଅର୍ଥନୈତିକ ବିକାଶ ଓ ନିଯୁକ୍ତି ସୃଷ୍ଟିର ଏକ ପ୍ରମୁଖ ଚାଳକ। ଏଣୁ ଏକ ସନ୍ତୁଳିତ ଏବଂ ସମାବେଶୀ ଦୃଷ୍ଟିଭଙ୍ଗୀରେ ପର୍ଯ୍ୟଟନ ଭିତ୍ତିଭୂମିର ସମନ୍ୱୟ ବିକାଶ ଓ ପରିଚାଳନା ପାଇଁ ୩ ଶହ ୫୫ କୋଟି ଟଙ୍କା ବ୍ୟୟ କରିବାକୁ ପ୍ରସ୍ତାବ ଦିଆଯାଇଛି । ଏଥିରେ ଖିଚିଂ ମନ୍ଦିର ଏବଂ ଏହି ଅଞ୍ଚଳର ବିକାଶ ସମେତ ଶିମିଳିପାଳର ସମନ୍ୱିତ ବିକାଶ ପାଇଁ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ପର୍ଯ୍ୟାୟକ୍ରମରେ କାର୍ଯ୍ୟକାରୀ କରାଯିବ । ଓଡ଼ିଶାର ଐତିହ୍ୟକୁ ପାଳନ କରିବା ଏବଂ ନିବେଶ ସୁଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ୧୦ଟି ଜିଲ୍ଲାରେ ଜିଲ୍ଲା ଐତିହ୍ୟ ଓ ପର୍ଯ୍ୟଟନ କମ୍ପ୍ଲେକ୍ସ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।