ନୂଆଦିଲ୍ଲୀ: ହାଥରାସ ଗଣଦୁଷ୍କର୍ମ ଏବଂ ହତ୍ୟା ନେଇ ଉତ୍ତେଜନା ମଧ୍ୟରେ ଦେଶରେ ମହିଳାଙ୍କ ପ୍ରତି ହେଉଥିବା ଅପରାଧ ହାର ବୃଦ୍ଧି ଏବଂ ରାଜ୍ୟମାନଙ୍କରେ ମହିଳାଙ୍କ ସୁରକ୍ଷାକୁ ନଜରରେ ରଖି ନିର୍ଦ୍ଦେଶାବଳୀ ଜାରି କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ ।
ପୀଡ଼ିତାଙ୍କୁ ଥାନାରେ ଅଭିଯୋଗ ଓ ନ୍ୟାୟ ପାଇଁ ବାରମ୍ବାର ପୋଲିସ ଷ୍ଟେସନକୁ ଆସିବାକୁ ପଡ଼େ। ତେଣୁ ମହିଳାଙ୍କ ଠିକ୍ ସମୟରେ ଉଚିତ ସେବା ପୋଲିସ୍ ପକ୍ଷରୁ କିଭଳି ମିଳିପାରିବ ସେ ନେଇ ଏଭଳି କଡା ପଦକ୍ଷେପ ଗ୍ରହଣ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟ ।ଏନେଇ ଗୃହ ମନ୍ତ୍ରାଳୟ ସବୁ ରାଜ୍ୟ ତଥା କେନ୍ଦ୍ର ଶାସିତ ରାଜ୍ୟର ପ୍ରଶାସନକୁ ମହିଳାଙ୍କ ବିରୋଧରେ ଅପରାଧ ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରନ୍ତୁ ବୋଲି ନିର୍ଦେଶ ଦେଇଛନ୍ତି ।
ଏହା ସହ ପ୍ରତିଟି ମାମଲା ପାଇଁ କାର୍ଯ୍ୟାନୁଷ୍ଠାନ ଜରୁରୀ ବୋଲି କୁହାଯାଇଛି। କେବଳ ଏତିକି ନୁହେଁ ପ୍ରତିଟି ମାମଲାରେ ଏତଲା ରୁଜୁ କରିବା ଅନିବାର୍ଯ୍ୟ। ଯଦି କୌଣସି ଅଧିକାରୀ ଏହାକୁ ଅଣଦେଖା କରନ୍ତି ତେବେ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର କୁହାଯାଇଛି।
କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବିସ୍ତୃତ ତିନି ପୃଷ୍ଠାର ପରାମର୍ଶ ରେ କୁହାଯାଇଛି ଯେ, ସିଆରପିସି ଅଧୀନରେ ଏକ ଧର୍ତ୍ତବ୍ୟ ଅପରାଧ ହେଲେ ଏଫ୍ଆଇଆରର ପଞ୍ଜିକରଣ ବାଧ୍ୟତାମୂଳକ ହେବା ଉଚିତ୍। ଏହି ଆଇନ୍ ପୋଲିସକୁ ଏଫ୍ଆଇଆର୍ କିମ୍ବା “ଜିରୋ ଏଫ୍ଆଇଆର୍” ରେଜିଷ୍ଟ୍ରେସନ୍ କରିବାକୁ ମଧ୍ୟ ସକ୍ଷମ କରାଇଥାଏ। ଆଉ ଏହି ଧର୍ତ୍ତବ୍ୟ ଅପରାଧ ମଧ୍ୟରେ ଯୌନ ନିର୍ଯାତନା ମାମଲା ଅନ୍ତର୍ଭୁକ୍ତ ।
“ତଥାପି, ଆଇନରେ କଠୋର ବ୍ୟବସ୍ଥା ଏବଂ ଅନେକ ଦକ୍ଷତା ବିକାଶ ପଦକ୍ଷେପ ଗ୍ରହଣ କରାଯାଇଥିଲେ ମଧ୍ୟ ପୋଲିସର ଏହି ବାଧ୍ୟତାମୂଳକ ଆବଶ୍ୟକତା ପାଳନ କରିବାରେ ଅନେକ ବିଫଳତା ଦେଖାଯାଇଥାଏ। ତେଣୁ ଆଇନର ଆବଶ୍ୟକତା ଅନୁଯାୟୀ ଠିକ୍ ସମୟରେ ଦୋଷୀମାନଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରି ଉପଯୁକ୍ତ ଅନୁସନ୍ଧାନ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।