ବିଜେଡି ପାର୍ଟି ଅଫିସ କେବେ ସିଲ୍ ହେବ ?

ଭୁବନେଶ୍ବର( ଏସ୍ ନ୍ଯୁଜ): ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଭୁବନେଶ୍ୱ ସାଂସଦ ଅପରାଜିତା ଷଡଙ୍ଗୀ। କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଅପରାଜିତା ଷଡଙ୍ଗୀଙ୍କ ଅଫିସ ଆଜି ସିଲ୍‌ କରାଯାଇଥିଲା । ଏନେଇ ସେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତା ଓ ମନ୍ତ୍ରୀ କୋଭିଡ ନିୟମ ଉଲ୍ଲଙ୍ଘନ କରିଥିବା ପାଲଟା ଅଭିଯୋଗ କରିଛନ୍ତି।

ସେ ସଂପୃକ୍ତ ନେତାମାନଙ୍କ ୧୭ଟି ଫଟୋ ଓ ଗୋଟିଏ ଭିଡିଓ ଜାରି କରି ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରଶ୍ନ ମଧ୍ୟ କରିଛନ୍ତି। ଏହା ସହିତ ସେ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ବିଜେଡି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନାହିଁ ସେ ପର୍ଯ୍ୟନ୍ତ ଅପରାଜିତା ନିଜ ଅଫିସ ଖୋଲିବେ ନାହିଁ ।

ସେହିପରି ସ୍ୱର୍ଗତ ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ଅନ୍ତେଷ୍ଟି, ବିଜେଡି ଅଫିସରେ ରକ୍ତଦାନ ଏବଂ ତିର୍ତ୍ତୋଲରେ ବିଜେଡି ନେତାଙ୍କ ରାଜନୈତିକ ସଭାରେ ଖୋଲାଖୋଲି ନିୟମ ଉଲ୍ଲଙ୍ଘନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସମସ୍ତ ପ୍ରମାଣ ଯୋଗାଇଦେବେ ବୋଲି ମଧ୍ୟ ସେ କହିଛନ୍ତି। ବିଭିନ୍ନ କାର୍ଯ୍ୟକ୍ରମରେ ବିଜେଡି ନେତାମାନେ କୋଭିଡ ନିୟମ ଉଲ୍ଲଙ୍ଘନ କରୁଥିବାର ଫଟୋ ସେ ଗଣମାଧ୍ୟମ ଆଗରେ ପ୍ରମାଣ ସ୍ୱରୁପ ଦେଖାଇଛନ୍ତି।

ତେବେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସେ ସାଧାରଣ ଲୋକଙ୍କ ସମସ୍ୟା କଥା ବୁଝୁଛନ୍ତି। ତାଙ୍କ ଅଫିସ ଆଜି ବିଏମସି ୧୫ ଦିନ ପାଇଁ ସିଲ କରିଦେଇଥିଲେ ସୁଦ୍ଧା ସେ ଅଫିସ ବାହାରେ କାର୍ଯ୍ୟ କରିବେ ବୋଲି ବିଜେଡିକୁ ଆହ୍ୱାନ ଦେଇଛନ୍ତି। ସେ କୋଭିଡ ନିୟମକୁ ଉଲ୍ଲଙ୍ଘନ କରିଥିବା ସ୍ୱୀକାର କରିନଥିଲେ ମଧ୍ୟ ଟିକିଏ ଭାବନାତ୍ମକ ହୋଇଯାଇ ମହିଳାମାନଙ୍କ ସହିତ ନୃତ୍ୟରେ ସାମିଲ ହୋଇଥିଲେ ବୋଲି କହିଛନ୍ତି । ଏପର୍ଯ୍ୟନ୍ତ ତାଙ୍କୁ କରୋନା ହୋଇନାହିଁ ଏବଂ ସେ ସବୁବେଳେ କୋଭିଡ ନିୟମ ପାଳନ କରିଆସୁଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।