ଆର୍‌ସିବି ମାଡ଼ରେ ଘାଇଲା ହେଲା ସିଏସକେ

ଆବୁଦାବି: ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ପ୍ଲାନ ପୁଣି ଅସଫଳ ହୋଇଛି। ଆଉ ଏହି ଅସଫଳକୁ ନେଇ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ ) ଚଳିତ ସିଜନରେ କ୍ରମାଗତ ପରାଜୟ ଯୋଗୁ ପଏଣ୍ଟ ଟେବୁଲରେ ପଛରେ ପଡି ଯାଇଛି । ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ୩୭ ରନରେ ସିଏସ୍‌କେକୁ ହରାଇ ଦେଇଛି ।

ମ୍ୟାଚରେ ବିରାଟ ପାଳି ଖେଳିଥିବା ଆରସିବି ଅଧିନାୟକ ବିରାଟ କୋହଲି ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବିରାଟ କୋହଲିଙ୍କ ନେତୃତ୍ୱାଧୀନ ବାଙ୍ଗାଲୋର ଦଳ ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ୍‌ ହରାଇ ସଂଗ୍ରହ କରିଥିଲା ୧୬୯ ରନ୍‌ ।

ବାଙ୍ଗାଲୋର ପକ୍ଷରୁ ଅଧିନାୟକ କୋହଲି ସର୍ବାଧିକ ୯୦ ରନ (୫୨ ବଲ) କରିଥିଲେ। ତାଙ୍କ ଇନିଂସରେ ସାମିଲ ଥିଲା ୪ ଲେଖାଏଁ ଚଉକା ଓ ଛକା । ଅନ୍ୟମାନଙ୍କ ମଧ୍ୟରେ ଓପନର୍‌ ଦେବଦତ୍ତ ପଡିକ୍କଲ ୩୩ ଓ ଶିଭମ ଦୁବେ ୨୨ ରନ କରିଥିଲେ।

ସଫଳ ବୋଲର ଭାବେ ଚେନ୍ନାଇ ପକ୍ଷରୁ ଶାର୍ଦ୍ଦୁଳ ଠାକୁର ନେଇଥିଲେ ୨ଟି ଉଇକେଟ୍‌ । ଜବାବରେ ସିଏସକେ ଶସ୍ତାରେ ଦୁଇ ଓପନର  ଶେନ ୱାଟସନ (୧୪) ଓ ଫାଫ ଡୁପ୍ଲେସି (୮)ଙ୍କ ଉଇକେଟ ହରାଇଥିଲା । ଏନ.  ଜଗଦିଶନ (୩୩) ଓ ଅମ୍ବାତି ରାୟୁଡୁ (୪୨) ତୃତୀୟ ଉଇକେଟ ଲାଗି ଯୋଡ଼ିଥିଲେ ୬୪ ରନ  । ଦୁହିଁଙ୍କ ବ୍ୟତୀତ ନିରାଶ କରିଥିଲେ ଅନ୍ୟ ସମସ୍ତ  ବ୍ୟାଟ୍ସମାନ । ଶେଷ ପର୍ଯ୍ୟନ୍ତ ଖେଳି ସିଏସକେ ୮ ଉଇକେଟ ହରାଇ ୧୩୮ ରନ କରିବାକୁ ସମର୍ଥ ହୋଇଥିଲେ ।  ଗୋଟେ ଛକା ସହାୟତାରେ ୧୦ ରନ କରି ଆଉଟ ହୋଇଥିଲେ ଧୋନି । ବିଜୟୀ ଦଳ ଆରସିବି ପକ୍ଷରୁ କ୍ରିସ ମୋରିସ ୩ ଓ ୱାଶିଂଟନ ସୁନ୍ଦର ୨ ଉଇକେଟ ହାତେଇ ଥିଲେ ।

ହେଲେ ଏହା ପୂର୍ବରୁ ସିଏସକେ ୨୦୧୦ରେ ତାର ପ୍ରଥମ ୭ ମ୍ୟାଚରୁ ୫ଟିରେ ପରାସ୍ତ ହୋଇଥିଲା । ସେଥର ଧୋନିଙ୍କ ନେତୃତ୍ଵାଧୀନ ସିଏସକେ ଆଇପିଏଲ ସହ ଚାମ୍ପିଅନ୍ସ ଲିଗ ଟି ୨୦ ଜିତିଥିଲା ।