୫ କୁଖ୍ୟାତ ଅପରାଧୀ ଗିରଫ, ବନ୍ଧୁକ ଓ ଗୁଳି ସହ ଲକ୍ଷାଧିକ ଟଙ୍କା ଜବତ

କଟକ,(ଏସ୍ ନ୍ୟୁଜ): ମଧୁପାଟଣା ଥାନା ପୋଲିସ ୫ କୁଖ୍ୟାତ ଅପରାଧୀ ଗିରଫ କରିଛି । ଗିରଫ ଅପରାଧୀଙ୍କଠାରୁ ବନ୍ଧୁକ,ଗୁଳି ଓ ବାଇକ୍ ଜବତ ହୋଇଛି । ମଧୁପାଟଣା ପୋଲିସ ଏକ ବଡ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ।  ସେମାନଙ୍କ ନିକଟରୁ ୪ ଟି ବନ୍ଧୁକ, ୮ ରାଉଣ୍ଡ ଗୁଳି ସହ ୨ ଟି ବାଇକ ଏବଂ ଲକ୍ଷାଧିକ ଟଙ୍କା ଜବତ ହୋଇଛି ।  ସମସ୍ତ ଅପରାଧୀ ନିରୋଳା ସ୍ଥାନଦେଖି ପଥଚାରୀମାନଙ୍କ ଠାରୁ ଲୁଟ୍‌ କରୁଥିଲେ ।

ସୂଚନା ଅନୁସାରେ, ବୁଧବାର ରାତିରେ କଟକ ନୂଆପଡା ଅ଼ଞ୍ଚଳର କୁନା ବିଶ୍ବାଳ ନାମକ ଜଣେ ବ୍ୟକ୍ତି ଏହି ଅପରାଧୀଙ୍କ ଶିକାର ହୋଇଥିଲେ ।  କୁନାଙ୍କ ଏତଲା ଆଧାରରେ ପୋଲିସ ବୁଧବାର ରାତିରେ ହିଁ ସ୍ପେସାଲ ଡ୍ରାଇଭ ଆରମ୍ଭ କରିଦେଇଥିଲା । ମାମଲାର ମୁଖ୍ୟ ଅଭିଯୁକ୍ତ ଜ୍ଞାନ ଓରଫ୍‌ ଦୀପକ ବେଉରା ଗିରଫ ହେବାପରେ ସମସ୍ତ ତଥ୍ୟ ସାମ୍ନାକୁ ଆସିଛି ।

ଜ୍ଞାନ ନିଜ ଗ୍ୟାଙ୍ଗରେ ଆଉ ୪ ଜଣ ଅପରାଧୀଙ୍କୁ ସାମିଲ କରିଥିଲା ଏବଂ  ବିଭିନ୍ନ ସମୟରେ ଏହି ଲୁଟେରା ଗ୍ୟାଙ୍ଗ ,କଟକ ସହର ଉପକଂଣ୍ଠ ଓ  ଜଗତସିଂପୁର ଅଞ୍ଚଳରେ  ଏକାଧିକ ଅପରାଧ ମାନ ଭିଆଇଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି । ତେବେ ବିଶେଷ କଥା ହେଲା ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ଗିରଫ ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି ।