ସମୂହ ଛୁଟିରେ ଗଲେ ବରଗଡ଼ ଜିଲ୍ଲାର ବନପାଳ ଓ ବନରକ୍ଷୀ

ବରଗଡ଼ ବନଖଣ୍ଡ ଅଧୀନରେ କାର୍ଯ୍ୟରତ ବନପାଳ ଓ ବନରକ୍ଷୀଙ୍କ …..

ବରଗଡ: ବରଗଡ଼ ବନଖଣ୍ଡ ଅଧୀନରେ କାର୍ଯ୍ୟରତ ବନପାଳ ଓ ବନରକ୍ଷୀଙ୍କ ମଧ୍ୟରୁ ୭୨ ଜଣ ସମୂହ ଛୁଟିରେ ଯାଇଛନ୍ତି। ବରଗଡ଼ ଡିଏଫଓଙ୍କ ବଦଳି ଦାବିରେ ସେମାନେ ଏଭଳି ନିଷ୍ପତି ନେଇଛନ୍ତି। ଓଡ଼ିଶା ଅଣଗେଜେଟେଡ ବନସେବା ସଂଘ ବରଗଡ଼ ଶାଖାର ଅଭିଯୋଗ ଅନୁସାରେ ବନଖଣ୍ଡ ଅଧିକାରୀ ସେମାନଙ୍କୁ ମାନସିକ, ଶାରିରୀକ ତଥା ଆର୍ଥିକ ସ୍ତରରେ ନିର୍ଯାତନା ଦେଉଛନ୍ତି।

ସଂପୂର୍ଣ୍ଣ ଅଭଦ୍ର ତଥା ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଛନ୍ତି। ବିଭିନ୍ନ ବୈଠକରେ ସର୍ବସମ୍ମୁଖରେ ଗାଳି କରିବା ସହିତ ବଦଳି ଧମକ ଦେଉଛନ୍ତି। ଏହା ସହିତ ବନ କର୍ମଚାରୀଙ୍କୁ କାମ କରିବାକୁ କହି ସଠିକ ସମୟରେ ଫଣ୍ଡ ରିଲିଜ୍‌ କରୁନାହାନ୍ତି। ମନ୍ତ୍ରୀ ଓ ବିଧାୟକଙ୍କ ସହ ସମ୍ପର୍କ ଥିବା କହି ଭୟଭୀତ କରାଉଥିବା ଅଭିଯୋଗ କରିଛନ୍ତି ବନପାଳ ଓ ବନରକ୍ଷୀମାନେ। ସେମାନଙ୍କୁ ପିସି ବା ବଟି ମାଗୁଥିବାର ଅଭିଯୋଗ ହୋଇଛି।

୭୨ ଜଣ ବନପାଳ ଓ ବନରକ୍ଷୀ ପ୍ରତିବାଦ କରି ଧାରଣାରେ ବସିଥିଲେ। ଅନ୍ୟପଟେ ଏସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବରଗଡ଼ ବନଖଣ୍ଡ ଅଧିକାରୀ ସରୋଜ କୁମାର ପଣ୍ଡା। ସେ କହିଛନ୍ତି ସରକାର ଯାହା ନିଷ୍ପତି ନେବେ ମୁଁ ଗ୍ରହଣ କରିବାକୁ ରାଜି।