ସାଢେ଼ ଚାରିକୋଟି ଏବେ ଏନ୍‌-୨ ଭାଇରସ୍‌ କବଳରେ

ଭୁବନେଶ୍ୱର: ନଭେମ୍ବର ୧୪ ତାରିଖରୁ ବିଜେପି ଆରମ୍ଭ କରୁଛି ଜନ ଆକ୍ରୋଶ ବ୍ଲକ ଘେରାଉ । ରାଜ୍ୟରେ ୨୩ ବର୍ଷ କାଳ କ୍ଷମତାରେ ରହି ନବୀନ ସରକାର ଦୁର୍ନୀତିର ପାହାଡ଼ ତିଆରି କରି ସାରିଲେଣି । ରାଜ୍ୟରେ ଖଣି, ପାଣି, ଜଙ୍ଗଲ, ଜମି, ପାନ, ମୀନ ଥିଲେ ମଧ୍ୟ ଓଡ଼ିଆ ଯୁବକ ଯୁବତୀମାନେ ହାତକୁ କାମ ନପାଇ ରାଜ୍ୟ ବାହାରକୁ ପଳାଉଛନ୍ତି । ରାଜ୍ୟ ସରକାର ଆପଣା ଦମରେ ଗୋଟିଏ ବି ସରକାରୀ ଶିଳ୍ପ ପ୍ରତିଷ୍ଠା କରିନାହାନ୍ତି କି ରୁଗ୍‌ଣ ଶିଳ୍ପକୁ ପୁନରୁଦ୍ଧାର କରିନାହାନ୍ତି । ମେକ୍‌ ଇନ୍‌ ଓଡ଼ିଶା ବାହାନାରେ କ୍ଷମତାସୀନ ଦଳର ମନ୍ତ୍ରୀ, ବିଧାୟକଙ୍କ ସମେତ ସରକାରୀ ଅଧିକାରୀମାନେ ଦୁବାଇ, ଜାପାନ, ସିଙ୍ଗାପୁର, ବାଙ୍ଗାଲୋର ବୁଲିବାକୁ ଯାଉଛନ୍ତି । ହାତଗଣତି ଶିଳ୍ପପତିମାନେ ରାଜ୍ୟର ପ୍ରାକୃତିକ ସମ୍ବଳକୁ ବିନିଯୋଗ କରି କ୍ଷମତାସୀନ ଦଳକୁ ଆର୍ଥିକ ସ୍ତରରେ ଶକ୍ତିଶାଳୀ କରୁଛନ୍ତି ।
ଆମେ ଯାହାସବୁ ଲେଖିଗଲୁ, ତାହା ଆମ ଉକ୍ତି ନଥିଲା । ବିଜେପି ସାମ୍ବାଦିକ ସମ୍ମିଳନୀରେ ଶୁଣିବାକୁ ମିଳିଥିଲା । ବିଜେପି କାର୍ଯ୍ୟାଳୟରେ ଦଳର ମୁଖପାତ୍ର ସୋନାଲି ସାହୁ ଏହିସବୁ କଥା କହୁଥିଲା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନ ସଂପର୍କରେ ପଦୁଟିଏ କହି ନଥିଲେ । ରାଜ୍ୟ ସରକାରକୁ ପେସାଦାର ପ୍ରତାରକ ଭାବେ ବର୍ଣ୍ଣନା କରିଥିଲେ ମାତ୍ର ସେଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମ ଉଚ୍ଚାରଣ କରିବାକୁ ସାହସ କରି ନଥିଲେ ।

ବିଜେପିର ବିଜେଡି ବିରୋଧୀ ଅଭିଯାନକୁ ତୀବ୍ର ସମାଲୋଚନା କରିଛନ୍ତି ବିଜୁ ଜଳକା ଦଳ ଆବାହକ ସୀତାରାମ ବେହେରା । ସୀତାରାମ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ଯୋଜନାକୁ ହାଇଜାକ୍‌ କରି ବାହାଦୁରି ନେଉଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଗଣମାଧ୍ୟମ ଆଗରେ ଗାଇ ବୁଲୁଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଦେଶ ଗସ୍ତରେ ଯାଇ ବିଜେପି ଗୁଣଗାନ କରୁଥିଲା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶ ଗସ୍ତରେ ଯାଇ ତାଙ୍କ ଦଳର ଗୁଣଗାନ କରୁଛନ୍ତି । ଏଥିରେ ଅସୁବିଧା କ’ଣଟା ହେଲା । ଦୁଇପାଳି ପ୍ରଧାନମନ୍ତ୍ରୀ ହେବା ଭିତରେ ଦେଶର କେତେ ଲକ୍ଷ ଯୁବକ ଯୁବତୀଙ୍କ ହାତକୁ ନିୟମିତ କାମ ଯୋଗାଇଛନ୍ତି ନରେନ୍ଦ୍ର ମୋଦୀ । ତା’ର ହିସାବ ବିଜେପିର କୋଉ ରାଜ୍ୟ ନେତା ଦେଇପାରିବେ, ସାମ୍ନାକୁ ଆସନ୍ତୁ ।

ଜମ୍ମୁ-କଶ୍ମୀରର ଯୋଉ ଅଂଚଳ ଭାରତ ପାଖରେ ଥିଲା, ତାହାକୁ ଦୁଇଭାଗ କରି ଦିଆଗଲା । ମାତ୍ର ପିଓକେକୁ ଦଖଲ କରିବାର ସାହସ ମୋଦୀଙ୍କ ପାଖରେ ନାହିଁ ।
ଦେଶର ମହଙ୍ଗା ମାଡ଼ରେ ସରକାରୀ କର୍ମଚାରୀମାନେ ହନ୍ତସନ୍ତ ହେଉଥିବାର ଦୃଶ୍ୟ ପ୍ରଧାନମନ୍ତ୍ରୀଙ୍କୁ ଦେଖାଗଲା । ମାତ୍ର ଦିନ ମଜୁରିଆ, ଖଟିଖିଆଙ୍କ ପରିବାରଙ୍କ ହାଲତ ପ୍ରଧାନମନ୍ତ୍ରୀଙ୍କୁ ଦେଖାଯାଉନି । ଦେଶର ଅଣସଂଗଠିତ ଶ୍ରମିକଙ୍କ ହାତକୁ ସବୁଦିନିଆ କାମ ଯୋଗାଇବାର କଳା ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଖରେ ନାହିଁ । ମାତ୍ର ଦୀପାବଳି ଅବସରରେ ଯବାନ ପୋଷାକ ପିନ୍ଧି ଯବାନଙ୍କ ଆଗରେ ଅଭିନୟ କରିବାର କଳାଟି ମୋଦୀଙ୍କୁ ଜଣା ଅଛି । ସଂକ୍ଷେପରେ କହିଲେ, ଓଡ଼ିଶାକୁ ଏନ୍‌-୨ ଭାଇରସ୍‌ କଲବଲ କରୁଛି ।