ଦୀପାବଳି: ପେଟରେ ଅଳିଆ ପୁରାଇ ଦେଇଛନ୍ତି?

ଦୀପାବଳି ପାଳନ କରିବା ନିଶାରେ ଶରୀରକୁ କ୍ଷତିଗ୍ରସ୍ତ କରିନାହାନ୍ତି ତ? ସାଙ୍ଗସାଥି ଓ ପରିବାର ଲୋକଙ୍କ ସହିତ ମିଶି ନାନା ମିଠା, ମିଷ୍ଟାନ୍ନ, ଲୁଣି ବିସ୍କୁଟ, ବଜାରରେ ଗୁପଚୁପ୍‌ ଓ ଖଟାପାଣି ଅଧିକ ପରିମାଣର ଖାଇ ଦେଇନାହାନ୍ତି ତ? ପେଟକୁ ବିଷାକ୍ତ କରିନାହାନ୍ତି ତ? ଏମିତି କିଛି ଭାବନା ଆପଣଙ୍କ ମନକୁ ବିବ୍ରତ କରୁଥିବ ।

ବଦହଜମି ଓ ପେଟଜ୍ୱାଳାରୁ ମୁକ୍ତି ପାଇବା ପାଇଁ ଗ୍ରୀନ୍‌ ଟି ଉପାଦେୟ ପଥି । ପର୍ବପର୍ବାଣୀ ସମୟରେ ଅଧିକ ଖାଇ ଦେଇଥିଲେ, ଦୁଇକପ୍‌ ଗ୍ରୀନ୍‌ ଟି’ ପିଇ ଦିଅନ୍ତୁ । ଡାଇବେଟିଜ୍‌ ଓ ହୃଦଘାତରୁ ରକ୍ଷା ପାଇଯିବେ । ଦେଶୀ ଫଳରସ ମଧ୍ୟ ଆପଣଙ୍କ ଶରୀରକୁ ବହୁ ସଂକଟରୁ ରକ୍ଷା କରେ । କଦଳୀ, ସପୁରୀ, ଆମ୍ବ ମିଶ୍ରିତ ଫଳରସ ଆପଣଙ୍କ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସହାୟକ ହୋଇଥାଏ । ଗିଲାସେ ଲେମ୍ବୁପାଣିରେ କିଛି ଲୁଣ ଗୋଳାଇ ପିଅନ୍ତୁ, ଶରୀର ପାଇଁ ଲାଭଦାୟକ ।

ଫଳରେ ପ୍ରାକୃତିକ ସୁଗାର ରହିଥାଏ । କମଳା, ତରଭୁଜ, କୋଳିରସ ପିଇପାରନ୍ତି । ଆଖପାଖରେ ଦୋକାନବଜାର ନଥିଲେ ଅବା ରାତିଅଧରେ ପେଟ ଜଳାପୋଡା କରୁଥିଲେ, ଖାଲି ପାଣି ପିଇଚାଲନ୍ତୁ । ଅଧିକ ପାଣି ପିଇବା ଫଳରେ ବଦହଜମି ଦୂର ହୋଇଯାଏ । ସାଲାଡ ମଧ୍ୟ ଦେହକୁ ହିତକାରକ । ଫେଷ୍ଟିଭାଲ ସମୟରେ ଅଧିକ କ୍ୟାଲୋରୀ ଯୁକ୍ତ ବା ଫାଷ୍ଟ ଫୁଡ୍‌ ସେବନ ଶରୀର ପାଇଁ ହାନିକାରକ ହୋଇଥାଏ । ସେଥିରୁ ମୁକୁଳିବାର ସହଜ ବାଟ ଅଧିକ ପରିମାଣର ସାଲାଡ୍‌ । ଟମାଟୋ, କାକୁଡ଼ି, ଗାଜର ଭଳି ତଟକା ପରିବାକୁ ସାଲାଡ୍‌ ଆକାରରେ ଖାଇବା ଉଚିତ ।