ଘାଟିରୁ ଖସିଲା ଅଟୋ: ୨ ମୃତ, ୭ ଗୁରୁତର

ଗଜପତି: ଏକ ଅଟୋ ଘାଟି ରାସ୍ତାରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ପ୍ରାୟ ୧୫ ଫୁଟ ତଳକୁ ଖସିପଡ଼ିବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଗଜପତି ଜିଲ୍ଲା ସେରଙ୍ଗ ଥାନା କେରଡ଼ାଙ୍ଗ ଘାଟିରେ ଘଟିଛି ଏହି ଦୁର୍ଘଟଣା। ଅଟୋରେ ଡ୍ରାଇଭରଙ୍କୁ ମିଶାଇ ମୋଟ ୯ ଜଣ ଥିଲେ। ଅଟୋଟି କେରଡ଼ାଙ୍ଗରୁ ନୂଆଗଡ଼ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ଅଛନ୍ତି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ। ସମସ୍ତ ୭ ଆହତଙ୍କୁ ଖଜୁରିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ଗୁରୁତର ରହିଛି। ପୁଲିସ ଘଟଣାର ତଦନ୍ତ କରୁଛି।