ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳିତ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୬୦ତମ ପ୍ରତିଷ୍ଠା ….

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୬୦ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ବିଜୁ ପଟ୍ଟନାୟକ ଅଡ଼ିଟୋରିୟମରେ ପାଳିତ ହୋଇଛି। କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଥିଲେ ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର।

ବିଶେଷ ଅତିଥି ଥିଲେ ବ୍ରହ୍ମପୁର ଆଇଜର୍‌ ନିର୍ଦ୍ଦେଶକ ପ୍ରଫେସର ଅଶୋକ କୁମାର ଗାଙ୍ଗୁଲି। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଜାତୀୟ ସାରସ୍ୱତ ସମ୍ମାନ ବିଶିଷ୍ଟ କବି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତିଙ୍କୁ ପ୍ରଦାନ କରାଯାଇଛି। ବିଶେଷ ପୂର୍ବତନ ବିଦ୍ୟାର୍ଥୀ ସମ୍ମାନ ବିଶିଷ୍ଟ ଉଦ୍‌ୟୋଗୀ ପ୍ରଫେସର ୟୁ.ଟି. ରାଓଙ୍କୁ, ଅଙ୍ଗବସ୍ତ୍ର ସମ୍ମାନ ଡ. ସୁରେନ୍ଦ୍ରନାଥ ପାଣିଗ୍ରାହୀ ଓ ଡ. ରାଜେନ୍ଦ୍ର ପାଢ଼ୀଙ୍କୁ, ଦକ୍ଷିଣ ଓଡ଼ିଶା ଲୋକ ସଂସ୍କୃତି ସମ୍ମାନ ଜଗଦୀଶ ପାଣିଗ୍ରାହୀ ଓ ହୃଷିକେଶ ପାଣିଗ୍ରାହୀଙ୍କୁ ପ୍ରଦାନ କରାଯାଇଛି।

ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ ଅତିଥି ପରିଚୟ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ କୁଳସଚିବ ସଚ୍ଚିଦାନନ୍ଦ ନାୟକ।

ଛାତ୍ରଛାତ୍ରୀ, ଶିକ୍ଷକ, ଅଣଶିକ୍ଷକ ଏବଂ କର୍ମଚାରୀଙ୍କ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ବିକାଶ ସାଙ୍ଗକୁ ସ୍ଥାନୀୟ ଲୋକଙ୍କ ଦକ୍ଷତା ବିକାଶ ଓ ଷ୍ଟାର୍ଟଅପରେ ସହାୟକ ହେବାକୁ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ ମୁଖ୍ୟ ଅତିଥି।  ଉଦ୍ଭାବନ ହିଁ ସଫଳତାର ଚାବି କାଠି, ମସ୍ତିଷ୍କର ସରଳ ଆଇଡିଆରୁ ଉଦ୍ଭାବନର ସୃଷ୍ଟି ବୋଲି କହିଥିଲେ ସେ। ସେହିପରି ଆଇଜର୍‌ ନିର୍ଦ୍ଦେଶକ କହିଥିଲେ ଯେ, ସାହିତ୍ୟ ହେଉ କି ବିଜ୍ଞାନ, ସୃଜନଶୀଳ ମସ୍ତିଷ୍କ ହିଁ ନୂଆ ଉଦ୍ଭାବନର କାରଣ ଓ ବିଶ୍ୱବିଦ୍ୟାଳୟ ସେହିଭଳି ଏକ ସ୍ଥାନ ଯେଉଁଠି ଏଭଳି ଏଭଳି ବିକାଶ ହୋଇଥାଏ। ଏହି ଅବସରରେ ବିଭିନ୍ନ ପୁରସ୍କାର ପ୍ରଦାନ କରାଯିବା ସହ ଭଞ୍ଜବିହାର ରିପୋର୍ଟର୍‌, ବାର୍ଷିକ ଜର୍ଣ୍ଣାଲ୍‌ ଓ କୁଳପତିଙ୍କ ପ୍ରୋତ୍ସାହନରେ ପ୍ରକାଶିତ ଭଏସ୍‌ ଅଫ୍‌ ୱିମେନ୍‌ ଫ୍ରମ୍‌ ଓଡ଼ିଶା ଶୀର୍ଷକ ଏକ ପୁସ୍ତକ ଉନ୍ମୋଚିତ ହୋଇଥିଲା।