କଟକରେ ଘିଅ; ଅନୁଗୁଳରେ ନକଲି ତେଲ କାରଖାନା ଠାବ

କଟକ(ଏସ୍ ନ୍ୟୁଜ): କଟକରେ କିଛି ମାସ ମଧ୍ୟରେ ଗୋଟିଏ ପରେ ଗୋଟିଏ ନକଲି ଖାଦ୍ୟସାମଗ୍ରୀ ଜବତ ହେଉଛି। କଟକରେ ପୁଣି ନକଲି ଘିଅ ଓ ଅନୁଗୁଳରେ ନକଲି ତେଲ କାରଖାନା ଠାବ ହୋଇଥିବା ଶନିବାର ଜଣାପଡ଼ିଛି।
ଏଥର ଜଗତପୁର ଶିଳ୍ପାଞ୍ଚଳରୁ ନକଲି ଘିଅ କାରଖାନା ଠାବ ହୋଇଛି। ୬୦୦ ଲିଟର ପାମୋଲିନରେ ୨୦୦ ଲିଟର ଘିଅ ମିଶାଇ ଏକାଥରରେ ପ୍ରସ୍ତୁତ ହେଉଥିଲା ୮୦୦ ଲିଟର ଘିଅ। କେବଳ ସେତିକି ନୁହେଁ, ଏକ୍ସପାରୀ ଡେଟ ଯିବା ପରେ ଫେରି ଆସୁଥିବା ମାଲ୍‌କୁ ପୁଣି ଥରେ ପ୍ୟାକ୍‌ କରି ବଜାରକ ଛାଡ଼ି ଦିଆଯାଉଥିଲା। ଏପରି ଭାବେ ଖାଦ୍ୟ ନାଁରେ ଅଖାଦ୍ୟ ତଥା ବିଷ ବିକ୍ରି କରୁଥିବା ନକଲି ଘିଅ କାରଖାନା ଜଗତପୁର ଶିଳ୍ପାଞ୍ଚଳରୁ ଠାବ ହୋଇଛି। ସୁବାଷ ବ୍ରାଣ୍ଡ ନାମରେ ଘିଅ, ଟମାଟୋ ଓ ଚିଲି ସସ ପ୍ରସ୍ତୁତ କରାଯାଇ ଏହି କାରାଖାନାରୁ ଅନ୍ୟତ୍ର ପଠାଯାଉଥିଲା।
ସେହିପରି ଅନୁଗୁଳର ସଦର ମହକୁମାରେ ଥିବା ଏକ ତେଲ କାରଖାନା ଉପରେ ପୁଲିସ ଚଢାଉ କରିଛି। ପୁଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ଓ ଜନସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ ଚଢାଉ କରିଥିଲେ। ଏହି ତେଲ ବିଭିନ୍ନ କମ୍ପାନିର ବ୍ରାଣ୍ଡରେ ପ୍ୟାକିଂ କରାଯାଇ ବଜାରକୁ ଛଡାଯାଇଥିଲା। ଚଢାଉ ସମୟରେ ବିପୁଳ ପରିମାଣରେ ତେଲ,ଟିଣ, ପ୍ୟାକିଂ ଓ ଠିପି ମଧ୍ୟ ଜବତ କରାଯାଇଛି। ଘଟଣାରେ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।