ବାତ୍ୟା ‘ଜୱାଦ’ ପ୍ରଭାବରେ ରାଜ୍ୟର ୪ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରୁ ଘଂଟା ପ୍ରତି ୪ କିମି ବେଗରେ ଉତର-ଉତରପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା ‘ଜୱାଦ’ । ହେଲେ ଜଳଭାଗ ଭିତରେ ଏହା କ୍ରମଶଃ ଦୁର୍ବଳ ହେବାରେ ଲାଗିଛି । ସ୍ଥଳଭାଗ ଛୁଇଁବା ବେଳକୁ ଏହା ମାତ୍ରଧିକ ଦୁର୍ବଳ ହୋଇସାରିଥିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ବାତ୍ୟା ପ୍ରଭାବରେ ରାଜ୍ୟର ୪ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁର ସାମିଲ ରହିଛି । ବାତ୍ୟାର ଆଗମନକୁ ଦୃଷ୍ଟିରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ସମୁଦ୍ର କୂଳବର୍ତ୍ତୀ ଅଧିବାସୀଙ୍କୁ ଆଲର୍ଟ କରାଯିବା ସହ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ କୁହାଯାଇଛି । ଏଥିସହିତ ଏନଡିଆରଏଫ୍ ଟିମକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି ।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଅନୁଯାୟୀ, ‘ଜୱାଦ’ ବର୍ତମାନ ଆନ୍ଧ୍ରପ୍ରଦେଶ ବିଶାଖାପାଟଣାଠାରୁ ଦକ୍ଷିଣପୂର୍ବ ଦିଗର ୨୩୦ କିମି ଦୂରରେ ରହିଛି । ଗୋପାଳପୁରଠାରୁ ଦକ୍ଷିଣରେ ଏହା ୩୪୦ କିଲୋମିଟରରେ ଦୂରରେ ରହିଛି । ସେହିଭଳି ପୁରୀଠାରୁ ଏହା ୪୧୦ କିଲୋମିଟର ଦୂର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ରହିଛି । ପାରାଦୀପଠାରୁ ଏହା ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୪୯୦ କିମି ଦୂରରେ ଥିବା ଜଣାପଡିଛି ।

ପୁରୀ ଜିଲ୍ଲା ଉପକୂଳ ନିକଟରେ ଆସନ୍ତାକାଲି ମଧ୍ୟାହ୍ନରେ ପହଁଚି ପଶ୍ଚିମବଙ୍ଗ ଉପକୂଳ ଆଡ଼କୁ ଅଗ୍ରସର ହେବ। ତଥା ଉପକୂଳ ପହଁଚିବା ପରେ ବାତ୍ୟା କ୍ରମେ ଦୁର୍ବଳ ହେବ । ଏ ସମୟରେ ଅମାବାସ୍ୟା କାରଣରୁ ସମୁଦ୍ର ଅଶାନ୍ତ ରହିବ ଓ ସର୍ବାଧିକ ୫ ମିଟର ଉଚ୍ଚ ଜୁଆର ବି ଉଠିପାରେ । ଏହି ସମୟରେ ପବନର ବେଗ ୫୦ରୁ ୭୦ କିଲୋମିଟର ବେଗରେ ବହିବ । ବାତ୍ୟା ଦୁର୍ବଳ ହୋଇଥିଲେ ମଧ୍ୟ ବର୍ଷା ଜାରି ରହିବ ।

ସରକାର ସମସ୍ତ ପ୍ରକାର ପ୍ରସ୍ତୁତିରେ ରହିଛନ୍ତି । ୨୪ ଘଂଟିଆ କଂଟ୍ରୋଲଲ ରୁମ ଠାରୁ ଆରମ୍ଭ କରି ଏନଡିଆରଏଫ, ଓଡ୍ରାଫବାହିନୀକୁ ସଜାଗ ରଖାଯାଇଛି । ତେବେ ବାତ୍ୟା ଦୁର୍ବଳ ହୋଇଥିଲେ ମଧ୍ୟ ପ୍ରସ୍ତୁତିରେ କୌଣସି ପରିବର୍ତନ କରାଯିନାହିଁ । ଘଟଣା ଉପରେ ସମ୍ପୂର୍ଣ୍ଣ ନଜର ରଖାଯାଇଛି ।