୨୦୨୪ରେ ମହାପ୍ରଭୁଙ୍କ ପାଇଁ ତିଆରି କରିବୁ ଗଜଦନ୍ତ ପଲଙ୍କ

ମାତ୍ର ଏବେ ନୂତନ ପଲଙ୍କର ଆବଶ୍ୟକତା ରହିଛି….

ଭୁବନେଶ୍ୱର: ୨୦୨୪ ବିଧାନସଭା ନିର୍ବାଚନରେ ଜିତିଲେ; ମହାପ୍ରଭୁ ଜଗନ୍ନାଥ, ମହାପ୍ରଭୁ ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ପାଇଁ ନୂଆ ଗଜଦନ୍ତ ପଲଙ୍କ ତିଆରି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜଣେ ଘନିଷ୍ଠ ବିଧାୟକ କହିଛନ୍ତି । ଦୈନିକ ସମ୍ବାଦ’ରେ ପ୍ରକାଶିତ ମହାପ୍ରଭୁ ଭଙ୍ଗା ଦଦରା ପଲଙ୍କ ଓ ପୁରୁଣା ଶେୟରେ ଶୋଉଥିବା ବିଷୟ ପଢ଼ିବା ପରେ ନୟାଗଡ଼ିଆ ବିଧାୟକ ଏଭଳି ମନ୍ତବ୍ୟ ଦେଇଛନ୍ତି ।

ସଂପୃକ୍ତ ବିଧାୟକ କହିଛନ୍ତି, ସବୁ ଖବର ନବୀନବାବୁଙ୍କ କାନରେ ପଡ଼ିଛି । ମହାପ୍ରଭୁ ଆଉ କିଛିଦିନ ଭଙ୍ଗା ଦଦରା ଖଟରେ ଶୁଅନ୍ତୁ । କିଛି ଅସୁବିଧା ହେବନି, ମାତ୍ର ନିର୍ବାଚନରେ ଆମ ଦଳ ଜିତିବା ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ । ବିଜେଡି ଜିତିଲେ ସିନା ମହାପ୍ରଭୁ ନୂଆ ଗଜଦନ୍ତ ପଲଙ୍କରେ ଶୋଇବେ । ଜଣେ ରିପୋର୍ଟର ପଚାରିଲେ, ଗଜଦନ୍ତ କୋଉଠୁ ଆସିବ । ବିଧାୟକ ଜଣକ ଚଟାପଟ୍‌ ଉତର ଦେଲେ, ଆରେ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟରେ କ’ଣ ହାତୀ ଅଭାବ ଅଛି? ବିଜେଡି ମହାପ୍ରଭୁଙ୍କ ପାଟିରୁ ଆଦେଶ ବାହାରିବା ମାତ୍ରେ ଆମ ଲୋକମାନେ ଜଙ୍ଗଲକୁ ଖେଦି ପକାଇବେ ।

ବଛାବଛା ଦନ୍ତାହାତୀକୁ ମାରିଦେବେ । ଯୁଗ ସହିତ ଠାକୁରଙ୍କ ପଲଙ୍କ ବଦଳିବା ଦରକାର । ଦିନ ଥିଲା, ଜଙ୍ଗଲରେ ପଲପଲ ହାତୀ ବୁଲୁଥିଲେ । ରାଜାରାଜୁଡ଼ାଙ୍କ ଅମଳରେ ବନ୍ୟ ଜୀବଜନ୍ତୁ ଆଇନ ଲାଗୁ ହୋଇ ନଥିଲା । ସେତେବେଳେ ଗଜଦନ୍ତ ପଲଙ୍କ ତିଆରି କରିବା ସହଜ ଥିଲା । ଏବେ ଗଜଦନ୍ତ ପାଇଁ କୋର୍ଟଙ୍କ ଅନୁମତି ମିଳିବା ଦରକାର । ମହାପ୍ରଭୁଙ୍କ ସୁଖନିଦ୍ରା ପାଇଁ ଯଦି ହାତୀ ମରାଯିବା ଜରୁରୀ, ଆମ ମହାପ୍ରଭୁ ତାହା ଅବଶ୍ୟ ପାଳନ କରିବେ ।

ଶ୍ରୀମନ୍ଦିର ପରିଚାଳନା କମିଟି ସଭ୍ୟଙ୍କ ସୂଚନା ମୁତାବକ ମହାପ୍ରଭୁଙ୍କ ରତ୍ନପଲଙ୍କର ଗୋଡ଼ ହଲୁଛି । ପୂର୍ବରୁ ତା’ର ମରାମତି ହୋଇଥିଲା । ମାତ୍ର ଏବେ ନୂତନ ପଲଙ୍କର ଆବଶ୍ୟକତା ରହିଛି । ରତ୍ନପଲଙ୍କ ସାଙ୍ଗକୁ ହାତୀଦାନ୍ତ ଲାଗିବା ଜରୁରୀ ତା ନ ହେଲେ ମହାପ୍ରଭୁଙ୍କ ସୁଖନିଦ୍ରାରେ ବ୍ୟାଘାତ ଉପୁଜିବ । ସମୟ ଥିଲା ଗୋଟିଏ ସେଟ୍‌ ଗଜଦନ୍ତ ପଲଙ୍କରେ ସବୁ ଚଳି ଯାଉଥିଲା ।

ଆଜିକାଲି ଦୁଇ ସେଟ୍‌ ପଲଙ୍କ ଦରକାର । ତିନିଠାକୁରଙ୍କ ପାଇଁ ନୂଆ ଗଜଦନ୍ତ ପଲଙ୍କ ଦରକାର । ପଲଙ୍କ ଭାଙ୍ଗିଥିବା କଥା ଜିଲ୍ଲାପାଳ ଜାଣିଛନ୍ତି । ସେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିବେ । ଖାଲି ରତ୍ନପଲଙ୍କ ନୁହେଁ । ମହାପ୍ରଭୁଙ୍କ ପାଇଁ ଶେଯ ଓ ତକିଆ ସେଟ୍‌ ମଧ୍ୟ ଦରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ମୁତାବକ ସବୁ ଚାଲିଛି । ତାଙ୍କ ବିଚାର ଉପରେ ମହାପ୍ରଭୁଙ୍କ ଗଜଦନ୍ତ ପଲଙ୍କ ନିର୍ଭର କରୁଛି ।