ବଢ଼ିଲା ଲକ୍‌ଡାଉନ୍‌:୩ଟି ଜିଲ୍ଲାରେ କୋହଳ:କଟକଣା ମାନ

ଭୁବନେଶ୍ୱର,(ଏସ୍ ନ୍ୟୁଜ): ମହାମାରୀ କରୋନା ପାଇଁ ରାଜ୍ୟରେ ପୁଣି ୧୬ ଦିନ ପାଇଁ ଲକ୍‌ଡାଉନ୍‌ ବଢ଼ାଇଲେ ରାଜ୍ୟ ସରକାର । ବଢ଼ିଥିବା ଲକଡାଉନ। ଜୁନ ୧ ସକାଳ ୫ଟାରେ ସରୁଥିବା ଲକ୍‌ଡାଉନ୍‌ ଅବଧି ଜୁନ ୧୭ ସକାଳ ୫ଟା ଯାଏଁ ବଢାଯାଇଛି। ଏଥିସହ ସପ୍ତାହାନ୍ତ ସଟ୍‌ଡାଉନ୍‌ ଜାରି ରହିବ।ଲକ୍‌ଡାଉନ୍‌ ବେଳେ ପୂର୍ବରୁ ଜାରି ସମସ୍ତ କଟକଣା ବଳବତ୍ତର ରହିବ। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

୩ଜିଲ୍ଲାରେକୋହଳ:
ସଂକ୍ରମଣ କମୁଥିବା ୩ଟି ଜିଲ୍ଲାରେ ଲକ୍‌ଡାଉନ୍‌ କଟକଣାକୁ ସାମାନ୍ୟ କୋହଳ କରାଯାଇଛି। କଟକଣା କୋହଳ ହୋଇଥିବା ଜିଲ୍ଲା ଗୁଡ଼ିକ ହେଲା ନୂଆପଡ଼ା, ଗଜପତି ଓ ସୁନ୍ଦରଗଡ଼। ଏହି ୩ଟି ଜିଲ୍ଲାରେ ସକାଳ ୭ଟାରୁ ଦିନ ୧ଟା ଯାଏଁ ଦୋକାନ ଖୋଲା ରହିବ। କିନ୍ତୁ ସେଲୁନ, ସ୍ପା ଓ ମଲ୍‌କୁ ବନ୍ଦ ରହିବ। ତେବେ ଏହି ୩ଟି ଜିଲ୍ଲାରେ ସଂକ୍ରମଣ ବଢ଼ିଲେ ପୁଣି କଟକଣା ଲାଗୁ ହେବ। ବାକି ୨୭ ଜିଲ୍ଲାରେ ସଂକ୍ରମଣ କମିଲେ ପର୍ଯ୍ୟାୟ କ୍ରମେ କଟକଣା କୋହଳ ହେବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ରାଜ୍ୟରେ କରୋନାର ଦ୍ୱିତୀୟ ଲହରକୁ କାବୁ କରିବା ପାଇଁ ପ୍ରଥମେ ମେ ୫ରୁ ୧୯ ଯାଏଁ ଲକ୍‌ଡାଉନ୍‌ ଘୋଷଣା ହୋଇଥିଲା। ଯାହାକୁ ପରେ ଜୁନ୍ ୧ ଯାଏଁ ଏବଂ ଆଜି ପୁଣି ଜୁନ୍ ୧୭ ଯାଏଁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି।
କଟକଣାମାନ:
ମୁଖ୍ୟ ଶାସନ ସଚିବଙ୍କ କହିବା ମୁତାବକ, ପୂର୍ବ ଲକ୍‌ଡାଉନ୍‌ରେ ଜାରି ସମସ୍ତ କଟକଣା ପୂର୍ବ ପରି ଜାରି ରହିବ। ପୂର୍ବ ଘୋଷଣାରେ ଯାହା କଟକଣାମୁକ୍ତ ତାହା ଜାରି ରହିବ। ଲକଡାଉନ୍ ଲାଗିବା ଫଳରେ ରାଜ୍ୟରେ ସଂକ୍ରମଣ ତଳମୁହାଁ ହୋଇଛି । ଏହାକୁ ଆଖି ଆଗରେ ରଖି ରାଜ୍ୟ ସରକାର ପୁଣି ଏହାର ଅବଧି ବୃଦ୍ଧି କରିଛନ୍ତି । ସଂକ୍ରମଣ କମିଲେ କଟକଣା ମଧ୍ୟ କୋହଳ ହେବ । ତେବେ ଏହି ସମୟରେ ସ୍ବାସ୍ଥ୍ୟସେବା, ଟେଷ୍ଟିଂ, ଟୀକାକରଣ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକ କାର୍ଯ୍ୟ ପାଇଁ କୌଣସି କଟକଣା ନାହିଁ। ଏହା ଆମ ରାଜ୍ୟ ପାଇଁ ଆଶ୍ୱସ୍ତିକର ଖବର। ଛତିଶଗଡ଼ ଓ ଝାଡ଼ଖଣ୍ଡକୁ ଲାଗିଥିବା ଜିଲ୍ଲାର ସଂକ୍ରମଣ କମୁଛି। ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରେ ସଂକ୍ରମଣ କମୁଥିଲେ ମଧ୍ୟ ବିପଦ ରହିଛି। ସେଥିପାଇଁ ଆନ୍ଧ୍ର ଓ ପଶ୍ଚିମବଙ୍ଗ ସୀମାକୁ ସିଲ୍ କରାଯାଇଛି ବୋଲି ଏସିଏସ୍‌ କହିଛନ୍ତି। ରାଜ୍ୟର ମୋଟ୍‌ ୯ଟି ଜିଲ୍ଲାରେ ସଂକ୍ରମଣ ରାଜ୍ୟର ୬୦% ରହିଛି। ୯ ଜିଲ୍ଲା- ଖୋର୍ଦ୍ଧା, କଟକ, ଅନୁଗୁଳ, ସୁନ୍ଦରଗଡ଼, ପୁରୀ, ମୟୂରଭଞ୍ଜ, ବାଲେଶ୍ୱର, ବରଗଡ଼, ପୁରୀ ଜିଲ୍ଲା। ରାଜ୍ୟରେ ପଜିଟିଭିଟି କମି ଆଜି ସୁଦ୍ଧା ୧୪%ରେ ପହଞ୍ଚିଛି। ୧୯ଟି ଜିଲ୍ଲାରେ ପଜିଟିଭିଟି ହାର କମୁଛି; ୫ ଜିଲ୍ଲାରେ ୫% ତଳେ ରହିଛି ବୋଲି ଏସିଏସ୍‌ କହିଛନ୍ତି।