ଆଜିଠୁ ଭାରତ-ଇଂଲଣ୍ଡ ଟି-୨୦

ଅହମ୍ମଦାବାଦ,(ଏସ୍ ନ୍ୟୁଜ) : ଭାରତୀୟ କ୍ରିକେଟ୍‌ ଦଳ କ୍ରମାଗତ ୮ଟି ଟେଷ୍ଟମ୍ୟାଚ୍‌ ଖେଳିବା ପରେ ଏବେ ଧଳାବଲ୍‌ କ୍ରିକେଟ୍‌ ଖେଳିବାକୁ ଯାଉଛି। ଏହି ୮ଟି ଟେଷ୍ଟରୁ ଭାରତ ୫ଟି ଜିତି ୨ଟି ହାରିଥିବା ବେଳେ ଉଭୟ ସିରିଜ୍‌ ଜିତି ବିରାଟ ସେନାର ମନୋବଳ ଶିଖର ଛୁଇଁଛି। ଏବେ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍‌ର ଟ୍ବେଣ୍ଟି-୨୦ ସିରିଜ୍ ଖେଳିବାକୁ ଯାଉଛି ଭାରତୀୟ ଦଳ। ଏହାର ପ୍ରଥମ ମ୍ୟାଚ୍‌ ଶୁକ୍ରବାର ଖେଳାଯିବ। ଇଂଲଣ୍ଡ ବିଶ୍ବର ୧ ନଂ ଟ୍ବେଣ୍ଟି-୨୦ ଦଳ। ତେଣୁ ଟେଷ୍ଟ ସିରିଜ୍‌ର ପ୍ରତିଶୋଧ ଟ୍ବେଣ୍ଟି-୨୦ରେ ନେବାକୁ ଇଓନ୍ ମୋର୍ଗାନ୍‌ଙ୍କ ଦଳ ନିଶ୍ଚୟ ଚାହିଁବ। ଅନ୍ୟପକ୍ଷରେ ଇଂଲଣ୍ଡ ବିପକ୍ଷରେ ଭାରତ ତା’ର ପ୍ରାଧାନ୍ୟ ବଜାୟ ରଖିବା ସହ ୧ନଂ ମାନ୍ୟତା ହାସଲ କରିବାକୁ ଚାହିଁବ। ଭାରତ ଯଦି ଏହି ସିରିଜ୍‌କୁ ୪-୧ କିମ୍ବା ୫-୦ରେ ଜିତିନିଏ; ତେବେ ୧ନଂ ଟ୍ବେଣ୍ଟି-୨୦ ଦଳ ହେବ

ଅଧିନାୟକ ବିରାଟ କୋହଲି କହି ସାରିଲେଣି ଯେ ରୋହିତ ଶର୍ମାଙ୍କ ସହ କେ.ଏଲ୍‌. ରାହୁଲ ଇନିଂସ ଓପନ୍ କରିବେ। ଶ୍ରେୟାସ ଆୟର ୪ନଂ ସ୍ଥାନ ବଜାୟ ରଖିପାରନ୍ତି। ୫ନଂ ଖେଳିବାକୁ ଥିବା ଋଷଭ ପନ୍ତ୍ ୱିକେଟ ରକ୍ଷଣ କରିବେ। ହାର୍ଦିକ ପାଣ୍ଡ୍ୟା ୬ନଂ ସ୍ଥାନରେ ଖେଳିବେ। ସ୍ପିନ୍ ବୋଲିଂ ଅଲ୍‌ରାଉଣ୍ଡର ସ୍ଥାନ ପାଇଁ ଅକ୍ଷର ପଟେଲ ଓ ୱାଶିଂଟନ ସୁନ୍ଦରଙ୍କ ମଧ୍ୟରେ ମୁକାବିଲା ହେବ। ବହୁତଦିନ ପରେ ଦଳକୁ ଫେରିଥିବା ଭୁବନେଶ୍ବର କୁମାର ଖେଳିବା ନିଶ୍ଚିତ ଥିବା ବେଳେ ନବଦୀପ ସୈନି ଓ ସାର୍ଦ୍ଦୁଳ ଠାକୁର ଅନ୍ୟ ଦୁଇ ପେସ୍ ବୋଲର ଭାବେ ଖେଳିପାରନ୍ତି। ଯୁଜବେନ୍ଦ୍ର ଚହଲ ଭାରତୀୟ ଟି୨୦ ଦଳର ଅଭିନ୍ନ ଅଙ୍ଗ। ଦର୍ଶକଙ୍କ ମନୋରଞ୍ଜନକୁ ଦୃଷ୍ଟିରେ ରଖି ବ୍ୟାଟିଂ ସହାୟକ ପିଚ୍ ପ୍ରସ୍ତୁତ ହୋଇଛି। ତଥାପି ପିଚ୍‌ରୁ ସ୍ପିନରଙ୍କୁ ସହାୟତା ମିଳିପାରେ। ଏଠାରେ ସୟଦ୍ ମୁସ୍ତାକ୍ ଅଲୀ ଟ୍ରଫି ଟୁର୍ଣ୍ଣାମେଣ୍ଟରେ ସ୍ପିନର ଭଲ ବୋଲିଂ କରିଥିଲେ। ପୁଣି ଏଥରେ ୭ଟି ମ୍ୟାଚ୍‌ରୁ ପଛରେ ବ୍ୟାଟିଂ କରିଥିବା ଦଳ ୫ଟି ମ୍ୟାଚ୍ ଜିତିଥିଲେ। ଏଠାରେ କାକରର ପ୍ରଭାବ ରହିବ। ତେଣୁ ଉଭୟ ଦଳ ପ୍ରଥମେ ଫିଲ୍‌ଡିଂ ନେବାକୁ ଚାହିଁବେ।