ସ୍ନାନମଣ୍ଡପରୁ ଶ୍ରୀଜିଉଙ୍କ ଗୋଟି ପହଣ୍ଡିରେ ଅଣସର ଘରକୁ ବିଜେ

ଭୁବନେଶ୍ୱର,(ଏସ୍ ନ୍ୟୁଜ): ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀଜୀଉଙ୍କ ଦିବ୍ୟ ମହାସ୍ନାନ ସ୍ନାନ ବେଦୀରେ ଅନୁଷ୍ଠିତ ହୋଇଯାଇଛି । ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜିଉମାନେ ୧୦୮ ଗରାରେ ସୁବାସିତ ଜଳରେ ସ୍ନାନ କରିଛନ୍ତି । ସ୍ନାନ ପରେ ଶ୍ରୀଜିଉମାନଙ୍କୁ ଗଜାନନ ବେଶ କରାଯାଇଥିଲା । ଗଜାନନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବା ପରେ ମହାପ୍ରଭୂଙ୍କ ହାତୀବେଶ ମଇଲମ ବା ଓଲାଗି କରାଯାଇଛି ।

ସୂଚନାଯୋଗ୍ୟ ଯେ, କରୋନା କଟକଣା ଦୃଷ୍ଟିରୁ ଗତ ବର୍ଷ ପରି ଏବର୍ଷ ମଧ୍ୟ ବିନା ଭକ୍ତରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେଉଛି । ତେବେ ଆଜି ସ୍ନାନମଣ୍ଡପରେ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଛେରାପହରା କରିନଥିଲେ । ଗଜପତିଙ୍କ ତରଫରୁ ତାଙ୍କ ପ୍ରତିନିଧି ମୁଦିରସ୍ତ ସ୍ନାନ ମଣ୍ଡପରେ ଛେରା ପହରା କରିଥିଲେ ।

ପରେ ପରେ ପ୍ରଭୁ ଚତୁର୍ଦ୍ଧା ମୂର୍ତ୍ତିଙ୍କ ବାହୁଡ଼ା ପହଣ୍ଡି ଅନୁଷ୍ଠିତ ହେବ। ସହିତ, ପ୍ରଥମେ ମଦନମୋହନ ଓ ସୁଦର୍ଶନଙ୍କ ପହଣ୍ଡି ବିଜେ ହୋଇଛି । ଗୋଟି ପହଣ୍ଡିରେ ଶ୍ରୀଜିଉ ଅଣସର ଘରକୁ ଯିବେ । ଅତ୍ୟଧିକ ସ୍ନାନ ଯୋଗୁଁ ମହାପ୍ରଭୁ ଜ୍ବରରେ ପୀଡିତ ହୋଇ ଅଣସର ଘରେ ଅବସ୍ଥାନ କରିବେ। ଅଣସର ଘରେ ଗୁପ୍ତ ସେବା ଉପଚାର ଆଗାମୀ ୧୫ଦିନ ଧରି ଜାରି ରହିବ। ରାତି ୮ଟା ସୁଦ୍ଧା ଆରମ୍ଭ ବାହୁଡ଼ା ପହଣ୍ଡି ଶେଷ ହୋଇ, ୮ଟା ୩୦ରେ ସୁନା ଚିତା ଓ ରାହୁରେଖା ମଇଲମ, ୯ଟାରୁ ୧୨ଟା ମଧ୍ୟରେ ଚାଟି ବନ୍ଧା ନୀତି ଅନୁଷ୍ଠିତ ହେବ ।

ସେହିପରି ୨୫ ତାରିଖ (ମଧ୍ୟରାତ୍ରୀ) ୧୨ଟା ୩୦ରେ ଦଶ ଅବତାର ବିଜେ, ୧ଟାରେ ମହାସ୍ନାନ, ୧ଟା ୩୦ରେ ମଇଲମ ବେଶ, ୨ଟାରୁ ୩ଟା ପର୍ଯ୍ୟନ୍ତ ମଧ୍ୟାହ୍ନ ଧୂପ, ଭୋର ୩ଟା ୩୦ରେ ଦକ୍ଷିଣିଘର ରୋଗ ଏବଂ ଜୟ-ବିଜୟ ଦ୍ୱାର ବନ୍ଦ, ବେହେରଣ ଦ୍ୱାର ଫିଟିବା, ସକାଳ ୪ଟାରେ ଅନବସର ନୀତି, ୪ଟା ୫୦ରେ ପଣା ଭୋଗ ଓ ସକାଳ ୫ଟାରେ ବେହେରଣ ଦ୍ୱାର ବନ୍ଦ ଏବଂ ଜୟ-ବିଜୟ ଦ୍ୱାର ଫିଟିବା ନୀତି ଅନୁଷ୍ଠିତ ହେବ ।

ସୂଚନାଯୋଗ୍ୟ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ବିନା ଭକ୍ତରେ ସ୍ନାନ ପୁର୍ଣିମା ନୀତି କରାଯାଉଛି । ସ୍ନାନ ପୂର୍ଣ୍ଣିମା ପାଇଁ ସହରର ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ଏହା ସହିତ ଚଳିତ ବର୍ଷ ସାହାଣମେଳା ନୀତି ବନ୍ଦ ରହିବ ।