ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ତହସିଲ ଅନ୍ତର୍ଗତ ରାଢ଼ଙ୍ଗ ଗ୍ରାମରେ ପଞ୍ଚାନନ ଲେଙ୍କାଙ୍କର ତିନି ବଖରା ଚାଳ ଘର ବିଦ୍ୟୁତ୍ ସର୍ଟ ସର୍କିଟ ହୋଇ ସଂପୂର୍ଣ୍ଣ ଜଳି ଯାଇଛି ।ଗତକାଲି ସନ୍ଧ୍ୟା ୫ ଘଟିକା ସମୟରେ ବିଦ୍ୟୁତ୍ ସର୍ଟ ସର୍କିଟ ହୋଇ ନିଆଁ ଲାଗିଥିଲା । ଦିନ ସାରା ପ୍ରାୟ ବିଦ୍ୟୁତ୍ ବିତରଣ ବନ୍ଦ୍ ଥିଲା । ସନ୍ଧ୍ୟା ପାଞ୍ଚଟା ସମୟରେ ଯେତେବେଳେ ହଠାତ୍ କରେଣ୍ଟ ଆସିଲା । ସେତେବେଳେ ପଞ୍ଚାନନଙ୍କ ଚାଳଘରେ ଲାଗିଥିବା ବିଦ୍ୟୁତ୍ ବୋର୍ଡରେ ନିଆଁ ବାହାରିଥିଲା । ପାଖରେ ପଲିଥିନ ପାଲ ରହିଥିବାରୁ ନିଆଁ ଧରିବାକୁ ସହଜ ହେଲା ଏବଂ ଖୁବ୍ କମ୍ ସମୟ ମଧ୍ୟରେ ତିନି ବଖରା ଚାଳ ଘର ସଂପୂର୍ଣ୍ଣ ଜଳିଗଲା । ଗ୍ରାମବାସୀମାନେ ନିଆଁ ଲିଭାଇଥିଲେ । ରଘୁନାଥପୁରରୁ ଦମକଳ ଆସି ଘଟଣା ସ୍ଥଳରେ ପହଞ୍ଚିବା ପୂର୍ବରୁ ଚାଳଘର ଭିତରେ ଥିବା ଧାନ, ଚାଉଳ ପ୍ରାୟ ଦଶ ବସ୍ତା, ଲୁଗାପଟା, ବାସନ କୁସନ ସବୁ ଜଳି ପାଉଁଶ ହୋଇଗଲା । ଅଗ୍ନିକାଣ୍ଡ ଖବର ପାଇ ସରପଂଚ ସୁଶିଲ ବାରିକ୍ ପଞ୍ଚାନନଙ୍କ ଘରେ ପହଞ୍ଚି ଗଭୀର ଦୁଃଖ ପ୍ରକାଶ କରିଥିଲେ ।