ଭୁବନେଶ୍ୱର: ରାଜଧାନୀରେ ଦୁର୍ଘଟଣା ହାର କମାଇବା ପାଇଁ ଟ୍ରାଫିକ୍ ନିୟମକୁ ଆହୁରି କଡ଼ା କରାଯାଇଛି । କମିଶନରେଟ୍ ପୁଲିସ ପକ୍ଷରୁ ଛକ ନିକଟରେ ଲାଲବତୀକୁ ଅମାନ୍ୟ କରୁଥିବା ଗାଡ଼ି ଚାଳକଙ୍କୁ ଗିରଫ କରି କୋର୍ଟଚାଲାଣ କରାଯିବ । ଅଭିଯୁକ୍ତଙ୍କ ଗାଡ଼ି ଚାଳନା ଲାଇସେନ୍ସକୁ ଅସ୍ଥାୟୀ ଭାବେ ବାତିଲ କରାଯିବ ନଚେତ୍ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ ।
ଅଭ୍ୟାସଗତ ବେପରୁଆ ଗାଡ଼ି ଚାଳକଙ୍କୁ ଜେଲକୁ ପଠାଯିବାର ବ୍ୟବସ୍ଥା କରାଯାଇଛି । ଟ୍ରାଫିକ ନିୟମ ଉଲ୍ଲଙ୍ଘନ କାରଣରୁ ଅଧିକ ଦୁର୍ଘଟଣା ଘଟୁଥିବା ଅନୁଧ୍ୟାନ ରିପୋର୍ଟରୁ ଜଣାପଡ଼ିଛି ।ସୋମବାର ଭୁବନେଶ୍ୱରର ପ୍ରମୁଖ ଛକ ନିକଟରେ ପୁଲିସ ଲୋକମାନଙ୍କୁ କମଳା, ସବୁଜ ଓ ଲାଲ ଆଲୁଅ ସିଗ୍ ନାଲ୍ ସଂପର୍କରେ ବୁଝାଇଥିଲା ।
ଗାଡ଼ି ଚଳାଇବା ସମୟରେ ମୋବାଇଲରେ କଥା ହେଉଥିବା ଓ ନିଶାଗ୍ରସ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବା ଲୋକଙ୍କୁ ଆଉ ନିସ୍ତାର ମିଳିବାର ନାହିଁ ବୋଲି ଡିସିପି ପିକେ ରାଉତ କହିଛନ୍ତି ।