ପୁଲିସ ହାତଟା ଭାରି ଖସଡ଼ା!

ଚାକିରି କରିବ ପୁଲିସି ମାଛ ଖାଇବ ଇଲିସି । ଏ ମନ୍ତବ୍ୟରୁ କିଛି ଠଉରାଇ ପାରୁଛନ୍ତି? ଆମ ଜାଣତରେ ଇଲିସି ମାଛକୁ ଭାଜିବା ପାଇଁ ତେଲ ଦରକାର ପଡେ଼ନା । ପୁଲିସି ଚାକିରି କରିଥିଲେ ଦରମାରେ ହାତ ବାଜେନା ।କ’ଣ କିଛି ଗଡ଼ବଡ଼ ହୋଇଗଲା କି? ଜମାରୁ ନୁହେଁ ଆଜ୍ଞା । ଗଣମାଧ୍ୟମରେ ଆପଣମାନେ ଖାକି ପୋଷାକ ପିନ୍ଧା ବାବୁମାନଙ୍କର କଳା କାରନାମା ପଢ଼ିବାର ସୁଯୋଗ ପାଉଥିବେ ନିଶ୍ଚିତ । ପୁଲିସି ଚାକିରି କରି ଯଦି ଉପୁରି କିଛି ଟଙ୍କା ରୋଜଗାର କରି ନପାରିବ; ତା’ହେଲେ କି ପୁଲିସ ଚାକିରି କରିଛନ୍ତି?

ସତ କହିଲେ ପୁଲିସ କର୍ମଚାରୀଙ୍କ ମୁଣ୍ଡରେ ପ୍ରାୟ ଦଶଟି ଆଖି ରହିଛି । ଦିନ ହେଉ କି ରାତି, ସକାଳ ହେଉ କି ସନ୍ଧ୍ୟା; ପୁଲିସ ଆଖିରୁ କୌଣସି ଅପରାଧ କେବେ ଖସି ଯାଇପାରିବନି ।ତଥାପି ଦେହ ବେପାରରେ ନିୟୋଜିତ ଦଲାଲ, ରାଣୀ ମହୁମାଛି ଓ ମୁଖ୍ୟ କାର୍ପଟଦାରମାନେ ପୁଲିସ ହାତରୁ ଖସି ଯାଉଛନ୍ତି । ମାତ୍ର ଧରା ପଡିଯାଉଛନ୍ତି ଦେହଧନ୍ଦାରେ ବ୍ୟସ୍ତ ଯୁବତୀ ଓ ଗରାଖମାନେ । ଗରାଖମାନଙ୍କୁ କୋର୍ଟ ଚାଲାଣ କରି ପୁଲିସ ବାହାବା ନେଉଛି ।

ଅଭାବ ଅନଟନର ଶିକାର ହୋଇ ଦେହଧନ୍ଦାକୁ ଆପଣାଇ ନେଇଥିବା ନିରୀହ ଯୁବତୀମାନଙ୍କୁ ସେମାନଙ୍କ ଘରକୁ ପଠାଇ ଦେଇ ପୁଲିସ ବହୁତ ବଡ଼ କାରନାମା କରି ପକାଇଥିବା ବିଚାର କରୁଛି । ପ୍ରଶ୍ନ ହେଉଛି, ସଂପୂର୍ଣ୍ଣ ଗୋପନୀୟତାର ସହିତ ଦେହଧନ୍ଦା ଚାଲିଥିବାର ଖବରଟି ପୁଲିସ କାନରେ ପଡ଼ିଯାଉଛି । ମାତ୍ର ରାଣୀ ମହୁମାଛି ଓ ଦଲାଲଙ୍କ ପରିଚୟ ପୁଲିସ କାନରେ ପଡ଼ିପାରୁନି । ସଂପୂର୍ଣ୍ଣ ସୁରକ୍ଷିତ ଅନୁଭବ କରିବା ପରେ ଜଣେ ଗରାଖ ଓ ଯୁବତୀ ଅସଂଜତ ଅବସ୍ଥାକୁ ଆଦରି ନେଇଥାନ୍ତି । ପୁଲିସ କ’ଣ ସିଧା ଛାତକଣା କରି ସେଇବାଟେ ଗଳି ଯୁବତୀ ଓ ଗରାଖଙ୍କୁ ଧରି ପକାଉଛନ୍ତି?

ପୁଲିସ ହାତରୁ ରାଣୀ ମହୁମାଛି ଓ ଦଲାଲ ଖସି ଯାଉଛନ୍ତି । ପୁଲିସ ହାତଟା କେବେ ଏତେ ଖସଡ଼ା ନୁହେଁ ଯେ ସହଜରେ ଜଣେ ମହୁମାଛି ଓ ଦଲାଲ ଖସିଯିବେ । ରାଣୀ ମହୁମାଛି ନିଶ୍ଚିତ ଭାବେ ପୁଲିସ ହାତରେ କିଛି ମହୁ ପକାଇ ଖସଡ଼ା କରି ଦେଉଛନ୍ତି ଓ ସହଜରେ ଗଳି ଯାଉଛନ୍ତି । ଏବେ ଆପଣମାନେ କାହାକୁ ଦୋଷ ଦେବେ, ପୁଲିସକୁ ନା ରାଣୀ ମହୁମାଛିକୁ ।

ପୁଲିସ ସବୁବେଳେ ନାରୀମାଂସ ଲୋଭୀ ମଣିଷ ମୁଣ୍ଡରେ ଦୋଷ ଲଦି ଖସିଯିବାକୁ ବସୁଛି । ମାତ୍ର ପୁଲିସ କିଭଳି ଭଦ୍ରଲୋକ; ତାହା ଭିଜିଲାନ୍ସ ଜାଲରେ ପଡୁଥିବା ପୁଲିସ କର୍ମଚାରୀଙ୍କୁ ଦେଖିଲେ ସହଜରେ ଜାଣିଯିବେ ।