ଯୋଗମୁଦ୍ରାରେ ମାତାଲ ଶିକ୍ଷକ

ସାରା ବିଶ୍ୱରେ ଯୋଗକୁ ଲୋକପ୍ରିୟ କରିବା ପାଇଁ ଭାରତ ପକ୍ଷରୁ ଯଥା ଉଦ୍ୟମ ଚାଲିଛି । ମିଳିତ ଜାତିସଂଘରେ ଯୋଗକୁ ପ୍ରାଥମିକତା ଦିଆଯାଇଛି । ଆନ୍ତର୍ଜାତିକ ଯୋଗ ଦିବସରେ ସାରା ବିଶ୍ୱ ଚଳଚଂଚଳ ହୋଇଥିବା ସମୟରେ ଜଣେ ଶିକ୍ଷକ ମଦ ପିଇ ମାତାଲ ହେବା ଅନେକଙ୍କୁ କ୍ରୋଧିତ କରିଛି । ଆମେ କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ଲଡୁଗାଁ ପଂଚାୟତରେ ଅବସ୍ଥିତ ଘନାଗୁଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟର ଜନୈକ ଶିକ୍ଷକଙ୍କ ଯୋଗମୁଦ୍ରା ସଂପର୍କରେ ଜଣାଇବାର ଧୃଷ୍ଟତା କରୁଛୁ ।

ବିଦ୍ୟାଳୟର ଶିକ୍ଷକ ଭୋଜରାଜ ଶବରଙ୍କୁ ଶ୍ରେଣୀକକ୍ଷରେ ମାତାଲ ହୋଇ ଚୌକିରେ ବସିଥିବା ଅବସ୍ଥାରେ ନିଦ୍ରାଗତ ହୋଇଯାଇଥିଲେ । ୱାର୍ଡମେମ୍ବର ରୁଦ୍ର ପ୍ରସାଦ ଦାସ ତାଙ୍କୁ ଉଠାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ଶିକ୍ଷକ ଶବରଙ୍କର ଏ ଅବତାର ପ୍ରଥମ ନୁହେଁ ବୋଲି ସ୍ଥାନୀୟ ଅଭିଭାବକମାନେ ଅଭିଯୋଗ କରିଛନ୍ତି ।

ପୂର୍ବରୁ ବହୁବାର ସେ ମାତାଲ ଅବସ୍ଥାରେ ବିଦ୍ୟାଳୟକୁ ଆସନ୍ତି । କୌଣସି ଅଭିଭାବକ ପ୍ରତିବାଦ କଲେ ‘ତମର କ’ଣ କରିବାର ଅଛି କର’ କହିଦିଅନ୍ତି । ମାତ୍ର ଏଥର ଯୋଗ ଦିବସରେ ଶବରଙ୍କର ନିଦ୍ରାଗତ ଯୋଗାବତାର ଭାଇରାଲ ହୋଇଛି । ଶିକ୍ଷକ ହୋଇ ଯଦି କୋମଳମତି ପିଲାମାନଙ୍କୁ ଏଇ ପାଠ ପଢ଼ାନ୍ତି; ସମାଜର ଗତି କୋଉଆଡ଼କୁ ହେବ ଆପଣମାନେ ଜାଣନ୍ତି । ସଂପୃକ୍ତ ବ୍ଲକ ଶିକ୍ଷାଧିକାରୀ ଏହାର ପ୍ରତିକାର କରିବେ ବୋଲି ଆଶା କରୁଛୁ ।