ଯେତେ ଖାଇଲେ ଭୋକ: ଲାଂଚ ନେଇ ଭିଜିଲାନ୍ସ ହାତରେ

ସରକାରୀ କର୍ମଚାରୀ ଭାବେ ନିୟମିତ ଦରମା ପାଇ ସୁଦ୍ଧା ଲାଂଚ ଖାଇବା ଏକପ୍ରକାର ଦେହସୁହା ହୋଇଗଲାଣି । ବିଗତ ୨୫ ବର୍ଷ ଭିତରେ ବହୁ ସରକାରୀ ଅଧିକାରୀ ଲାଂଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ି ଜେଲ ଯାଇଥିଲେ ମଧ୍ୟ ଏହି ଧାରାରେ ଶିଥିଳତା ଦେଖାଯାଇନି ।

ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ମହିଳା କର୍ମଚାରୀମାନେ ଭିଜିଲାନ୍ସ ହାତରେ ଧରାପଡ଼ିବା । ସାମାଜିକ ବଦନାମକୁ ପରବାୟ ନକରି ସମ୍ବଲପୁର ଜିଲ୍ଲାର ମାନେଶ୍ୱର ବ୍ଲକରେ ନିଯୁକ୍ତ କନିଷ୍ଠ ଯନ୍ତ୍ରୀ ପ୍ରଣତି ସାହୁ ଜଣେ ଠିକାଦାରଙ୍କଠାରୁ ବିଲ ପାସ କରାଇଦେବା ପାଇଁ ୧୦ ହଜାର ଟଙ୍କା ଲାଂଚ ଦାବି କରିଥିଲେ । ସଂପୃକ୍ତ ଠିକାଦାର ଏ ସଂପର୍କରେ ଭିଜିଲାନ୍ସ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଭିଜିଲାନ୍ସ ଅଧିକାରୀଙ୍କ ପରାମର୍ଶ ମୁତାବକ ଠିକାଦାର ଜଣକ ନିର୍ଦ୍ଧାରିତ ସମୟରେ ପ୍ରଣତି ସାହୁଙ୍କୁ ଟଙ୍କା ଦେଇଥିଲେ । କନିଷ୍ଠ ଯନ୍ତ୍ରୀ ଟଙ୍କା ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଅଧିକାରୀ ଚଢ଼ାଉ କରି ତାଙ୍କୁ କାବୁ କରିଥିଲେ । ଅଭିଯୁକ୍ତଙ୍କ ନିକଟରେ ଲାଂଚ ବାବଦ ଅର୍ଥ ଜବତ କରାଯାଇଛି ।

ଭିଜିଲାନ୍ସ ହାତରେ ଧରାପଡ଼ି ଅପଦସ୍ତ ହେବାପରେ ମଧ୍ୟ ସରକାରୀ ବାବୁଙ୍କର ଚେତା ପଶୁନି । ସାଧାରଣ ଲୋକମାନେ ଏ ବିଷୟ ଶୁଣିବା ପରେ କହୁଛନ୍ତି, ହେ ହେଇଆଁ ଠାକୁରଙ୍କୁ…….. । ଯେମିତି ରାଜାଙ୍କୁ ସେମିତି କର୍ମଚାରୀ । ରାଜା ଡାଳରେ ଡାଳରେ ଚାଲୁଛନ୍ତି, କର୍ମଚାରୀ ପତରେ ପତରେ ।