କନ୍ଧମାଳ : ଉଦ୍ଧାର ନାବାଳକକୁ ପରିବାରକୁ ହସ୍ତାନ୍ତର କଲା ଚାଇଲଡ ଲାଇନ୍‌

ନାବାଳକ ଜଣକ ଦାରିଙ୍ଗବାଡି ବ୍ଲକ ତାଜୁଙ୍ଗିଆ ପଂଚାୟତ ସିକବାଡି ନିକଟ ଡୁବୁରୀ ଗ୍ରାମର ବୋଲି ଜିଲା ଶିଶୁ ସୁରକ୍ଷା…

କନ୍ଧମାଳ : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଳକ ଅଂଚଳରୁ ଗତ ୧୦ ତାରିଖ ଦିନ ଚାଇଲଡ ଲାଇନ ଦ୍ୱାରା ଉଦ୍ଧାର କରାଯାଇଥିବା ନାବାଳକକୁ ତାର ପରିବାରକୁ ହସ୍ତାନ୍ତର କରାଯାଇଛି । ନାବାଳକ ଜଣକ ଦାରିଙ୍ଗବାଡି ବ୍ଲକ ତାଜୁଙ୍ଗିଆ ପଂଚାୟତ ସିକବାଡି ନିକଟ ଡୁବୁରୀ ଗ୍ରାମର ବୋଲି ଜିଲା ଶିଶୁ ସୁରକ୍ଷା ଅଧିକାରିଣୀ ରଶ୍ମିତା କରଣ ସୂଚନା ଦେଇଛନ୍ତି । ସୂଚନା ମୁତାବକ, କ.ନୂଆଗାଁ ଅଞ୍ଚଳରେ ଜଣେ ଅପରିଚିତ ନାବାଳକ ଏକାକୀ ବୁଲୁଥିବା ନେଇ ଚାଇଲଡ ଲାଇନକୁ ହେଲପ ଲାଇନ ନଂ ୧୦୯୮ ଜରିଆରେ ଫୋନ ଆସିଥିଲା । ଏହା ପରେ ଚାଇଲଡ ଲାଇନ କର୍ମୀ ସେଠାକୁ ଯାଇ ନାବାଳକକୁ ଉଦ୍ଧାର କରିବା ସହିତ ଫୁଲବାଣି ଗୋପବନ୍ଧୁ ବାଳାଶ୍ରମରେ ଥଇଥାନ କରିଥିଲେ ।

ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ନାବାଳକର ବାପା ନିର ପାଟମାଝୀ ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ । ମଙ୍ଗଳବାର ଜିଲା ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ ଅଶୋକ କୁମାର ବେହେରା ଓ ଚାଇଲଡ ଲାଇନ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ସରକାରୀ ପ୍ରକ୍ରିୟା ଅନୁଯାୟୀ ନାବାଳକକୁ ତାର ବାପାଙ୍କୁ ହସ୍ତାନ୍ତର କରାଯାଇଛି । ନାବାଳକ ଜଣକ ମା’ ଛେଉଣ୍ଡ ଓ କଥା କହିବା ପାଇଁ ଅକ୍ଷମ ବୋଲି ଜଣାପଡିଛି । ସେ ଭୁଲ ବଶତଃ କ.ନୂଆଗାଁ ଅଞ୍ଚଳକୁ ଚାଲି ଆସିଥିବା ବେଳେ ତାକୁ ପାଇ ନାବାଳକଙ୍କ ବାପା ଚାଇଲଡ ଲାଇନ ଓ ଶିଶୁ ମଙ୍ଗଳ ସମିତିକୁ କୃତଜ୍ଞତା ଜଣାଇଛନ୍ତି ।