ଗୁରୁ ପୂର୍ଣ୍ଣିମା ଆଉ ଶ୍ରାବଣ ମାସ

କାଉଡ଼ିଆମାନେ ସାମାଜିକ ଦୂରତା ରକ୍ଷା କରିବେ। ଶ୍ରାବଣ ମାସ ପାଇଁ ନୀତି ନିର୍ଘଣ୍ଟ ଅନୁଯାୟୀ ମନ୍ଦିର ଭୋର୍‌ ୩ଟାରୁ ଖୋଲାଯିବ

କେନ୍ଦୁଝର : ଗୁରୁ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଛି ଶ୍ରାବଣ ମାସ। ପୂର୍ଣ୍ଣିମା ପରେ ଆସନ୍ତା ୧୮ ତାରିଖ ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର। ଦୁଇବର୍ଷଧରି କରୋନା ଯୋଗୁଁ ଭକ୍ତଙ୍କୁ ଶୈବପୀଠ ମନା ଥିଲାବେଳେ ଶିବଲିଙ୍ଗରେ ଜଳାଭିଷେକ ପାଇଁ କାଉଡ଼ିଆ ଓ ଭକ୍ତମାନେ ଶ୍ରାବଣ ମାସର ସୋମବାରକୁ ଜଗିବସିଛନ୍ତି। ବିଭିନ୍ନ ଶୈବପୀଠରେ ସୁରକ୍ଷିତ ଓ ଶୃଙ୍ଖଳିତ ଜଳାଭିଷେକ ଓ ଦର୍ଶନ ନିମନ୍ତେ ପ୍ରଶାସନ ସଜାଗ ରହିଛି। ଶୈବ ପୀଠ ଗୁଡିକରେ କାଉଡ଼ିଆ ଏବଂ ଭକ୍ତଙ୍କ ଯାତାୟାତ ପାଇଁ ବ୍ୟାରିକେଡ୍‌ ବନ୍ଧା ଆରମ୍ଭ ହୋଇଛି। କଟକଣା ଦୃଷ୍ଟିରୁ କାଉଡ଼ିଆମାନଙ୍କୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ କରାଯାଇଛି।

କେନ୍ଦୁଝର ଜିଲ୍ଲାରେ ମୁର୍ଗା ମହାଦେବ,ବାବା ଜଟେଶ୍ୱର, ଗୋନାସିକା, ରାମତୀର୍ଥ, କେଶରୀ କୁଣ୍ଡ, ସ୍ବାମପାଟଣା, କୁଶଳେଶ୍ୱର, ମିରିଗିଶିଙ୍ଗା, ଅସୁରଖାଲ,ହାଣ୍ଡିଭଙ୍ଗା, ଚମକପୁର,ଉଦୟପୁର,ପରମେଶ୍ବର, ବେଲକୁଣ୍ଡି,ଜୁରୁଡ଼ି,ବଡ଼ କାଳୀମାଟି, କୁନ୍ଦୁରନାଲା, କମାର ଯୋଡ଼ା, ଚମ୍ପକେଶ୍ଵର, ପୁଷ୍ପଦନ୍ତେଶ୍ଵର, କଲ୍ୟାଣେଶ୍ବର, ବାବା ବିଶ୍ୱନାଥ ମନ୍ଦିର ଆଦି ଶୈବ ପୀଠରେ କାଉଡ଼ିଆମାନଙ୍କର ପ୍ରବଳ ଭିଡ କରିବାର ସମ୍ଭାବନା ରହିଥିବା ଅନୁମାନ କରାଯାଇଛି। ମାଗଦର୍ଶିକା ଅନୁଯାୟୀ ଭକ୍ତ ଓ ସେବାୟତମାନେ ମାସ୍କ ପିନ୍ଧି ମନ୍ଦିରକୁ ଯିବେ। କାଉଡ଼ିଆମାନେ ସାମାଜିକ ଦୂରତା ରକ୍ଷା କରିବେ। ଶ୍ରାବଣ ମାସ ପାଇଁ ନୀତି ନିର୍ଘଣ୍ଟ ଅନୁଯାୟୀ ମନ୍ଦିର ଭୋର୍‌ ୩ଟାରୁ ଖୋଲାଯିବ। ଭୋର୍‌ ସାଢ଼େ ୩ଟାର କାଉଡ଼ିଆଙ୍କର ଭିଡ଼ ପରିଲକ୍ଷିତ ହେବ ବୋଲି କାଉଡ଼ିଆ ମାନଙ୍କ ମନରେ ଉତକଣ୍ଠିତ ଥିବା ଦେଖିବାକୁ ମିଳିଛି।