କାଶୀପୁରରୁ କଟକ- ପୁଣି ଚର୍ଚ୍ଚାରେ କାଶୀପୁର ବାଜିଗର ଝାଡ଼ାବାନ୍ତି

ନବୀନବାବୁଙ୍କ ସ୍ୱାସ୍ଥ୍ୟସେବାକୁ ଚାପୁଡ଼ାଏ…

ଭୁବନେଶ୍ୱର: ନବୀନବାବୁଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଚାପୁଡାଏ, ପୁଣି ଚର୍ଚ୍ଚାରେ କାଶୀପୁର । ବାପା ବିଜୁ ପଟ୍ଟନାୟକଙ୍କ ନାମରେ ଯୋଜନା ଘୋଷଣା କରି ଗରିବ ନିରୀହ ଲୋକଙ୍କ ଝାଳବୁହା ଧନକୁ ଲୁଟିବାରେ ପୁଅ ନବୀନ ପଟ୍ଟନାୟକ ଯେତିକି ଆଗୁଆ, ତାଙ୍କୁ ଅପଦସ୍ତ କରିବାରେ ହଇଜା ଓ ଝାଡ଼ାବାନ୍ତି ସେତିକି ତତ୍ପର । କାଶୀପୁର ଅଂଚଳର ଲୋକଙ୍କୁ କିଲୋ ଟଙ୍କାଏ ଦରରେ ଚାଉଳ ଦେଇ ହଇଜା ଓ ଝାଡ଼ାବାନ୍ତିରେ ଘାଂଟି ହେବାକୁ ଯଥେଷ୍ଟ ସୁଯୋଗ ସୃଷ୍ଟି କରାଯାଇଛି ।

ବିରୋଧୀ ବିଜେପି ଓ କଂଗ୍ରେସ ସିନା ବିଜେଡିକୁ ସାମ୍ନା କରିବାକୁ କାରଣ ପାଉନାହାନ୍ତି । ମାତ୍ର ନବୀନବାବୁଙ୍କୁ ଅକଳରେ ପକାଇବା ପାଇଁ ହଇଜା ସୁନ୍ଦରୀ ଭଲ ଇସୁଟିଏ ପାଇଛନ୍ତି । ସରକାରୀ ଚାଉଳ ଲୋକଙ୍କ ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ସୃଷ୍ଟି କରିବାକୁ ସକ୍ଷମ ହେଉନି । ଏମିତି ତ ଗ୍ରାମାଂଚଳରେ ସିଧାବଙ୍କା ରାସ୍ତାରେ ଗତି କରି ଲୋକଙ୍କ ନିକଟରେ ପହଂଚିବାକୁ ସରକାରୀ ଯୋଜନାକୁ ବର୍ଷବର୍ଷ ଲାଗିଯାଉଛି ।

ପାଂଚ ପାଂଚଥର ମୁଖ୍ୟମନ୍ତ୍ରୀ ହେବା ଭିତରେ ଓଡ଼ିଶାକୁ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାତିରେ ନିଦ ହେଉନି । ଭଲ ନିଦ ହେବା ପାଇଁ ତାଙ୍କୁ ରାତିରେ ରାଜ୍ୟ ସରକାରଙ୍କ ମଦ ନିଗମରୁ ଚଳୁଏ ଚଳୁଏ ପିଇବାକୁ ପଡୁଛି । ୨୩ ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖାଲି ଚେଷ୍ଟା କରୁଛନ୍ତି ହେଲେ ଓଡ଼ିଶା ଯୋଉ ଗରିବକୁ ସେଇ ଗରିବ । ମାତ୍ର ୨୩ ବର୍ଷ ଭିତରେ ବିଜୁ ଜନତା ଦଳ ବେଶ ଦୃଢ଼ ଓ ବିକଶିତ ଦଳ ଭାବେ ଉଭା ହୋଇପାରିଛି । କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ତାଙ୍କ ଦଳର କର୍ମୀମାନଙ୍କୁ ଗୋଟିଏ ଆହ୍ୱାନ ଦେଇଥିଲେ, ‘ତମେମାନେ ଗାଁକୁ ଜଗ, ମୁଁ ସଚିବାଳୟକୁ ଜଗୁଛି ।’ ସେତେବେଳର ସେଇ ଗୋଟିଏ ଆହ୍ୱାନ ଆଜି ସାରା ଓଡ଼ିଶାରେ ଦେଖିବାକୁ ମିଳୁଛି । ୨୩ ବର୍ଷ ଭିତରେ ବିଜୁ ଜନତା ଦଳ କ୍ରମେ ବିଧବା ଥଇଥାନ କେନ୍ଦ୍ର, ବାପପୁଅ ଥଇଥାନ କେନ୍ଦ୍ର ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ।