ନବୀନବାବୁଙ୍କ ଟାଟା ପ୍ରେମ ରାଜ୍ୟବାସୀଙ୍କୁ ମହଙ୍ଗା

ନବୀନବାବୁଙ୍କ ମୁଣ୍ଡରେ ପେଚା ବସିଲାଣି…

ଭୁବନେଶ୍ୱର: ଦିଅଁ ସାଙ୍ଗକୁ ଖଟୁଲି ବିକି ନିର୍ବାଚନ ଚାନ୍ଦା ଗୋଟାଇବା ନିଶାରେ ବିଜୁ ଜନତା ଦଳ ନଜର ଶେଷରେ ଓଡ଼ିଶା ବିଜୁଳି ଉତ୍ପାଦନ ନିଗମ ଉପରେ ପଡ଼ିଛି । ୧୭୪୦ ମେଗାୱାଟ କ୍ଷମତା ସମ୍ପନ୍ନ ଇବ୍‌ ତାପଜ ବିଦ୍ୟୁତ କେନ୍ଦ୍ର ଏବେ ଘରୋଇ ମାଲିକାନାକୁ ଯିବା ଅପେକ୍ଷାରେ ଅଛି । ଏକଦା ଏଇଏସ୍‌ ଓପିଜିସି ସହିତ ଅଂଶୀଦାର ଥିଲା । ମାତ୍ର ଅକଳରେ ପଡ଼ି ରାଜ୍ୟ ସରକାରଙ୍କୁ ତା’ର ସବୁ ଅଂଶ ବିକି ଚାଲିଗଲା । ଦୁଇବର୍ଷ ରାଜ୍ୟ ସରକାରଙ୍କ ଦଖଲରେ ରହିବା ପରେ ଏବେ ପୁଣି ଓପିଜିସି ଘରୋଇ ସଂସ୍ଥା ନିୟନ୍ତ୍ରଣକୁ ଯିବାର ଆଶଙ୍କା ଉପୁଜିଛି । ଏମିତି ତ ବିଜୁଳି ବିତରଣ ବ୍ୟବସ୍ଥାକୁ ଟାଟା ପାୱାର ହାତକୁ ଟେକି ଦିଆଯାଇଛି ।

ଏଇଏସର ୪୯ ଭାଗ ଅଂଶଧନକୁ ଓପିଜିସି ୯୯୮ କୋଟି ଟଙ୍କାରେ କିଣିଥିଲା । ଏବେ ସେହି ଅଂଶଧନକୁ ବିକିବା ପାଇଁ ଅଂଟା ଭିଡ଼ିଚନ୍ତି ସରକାର । ରାଜ୍ୟବାସୀଙ୍କ ମୁଣ୍ଡରେ ସତେ ଯେମିତି ଆକାଶ ଛିଣ୍ଡିପଡ଼ିଛି । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, କ’ଣ ପାଇଁ ଏକ ଲାଭଜନକ ସଂସ୍ଥାକୁ ଘରୋଇ ମାଲିକାନାକୁ ହସ୍ତାନ୍ତର କରାଯାଉଛି । ଓପିଜିସିର ଶକ୍ତି କେନ୍ଦ୍ର ଉପରେ ଟାଟା ଗ୍ରୁପର ଚିଲ ନଜର ପଡ଼ିନି ତ? ପଡ଼ିବାର ଯଥେଷ୍ଟ ଖୋରାକ୍‌ ଅଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଟାଟା ପ୍ରେମ ଏବେ ରାଜ୍ୟବାସୀଙ୍କୁ ମହଙ୍ଗା ହେବାକୁ ଯାଉଛି । ଅବଶ୍ୟ ଲାଭଜନକ ସଂସ୍ଥାରୁ ପୁଞ୍ଜି ପ୍ରତ୍ୟାହାର ଯୋଜନାଟି ମୁଖ୍ୟମନ୍ତ୍ରୀ ନବୀନବାବୁଙ୍କର ମଗଜରୁ ବାହାରିନି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁକରଣ କରି ମୁଖ୍ୟମନ୍ତ୍ରୀ ଏପରି ପଦକ୍ଷେପ ନେଉଛନ୍ତି ବୋଲି ସାଧାରଣରେ ଆଲୋଚନା ଚାଲିଛି । ଓପିଜିସିର ୪୯ ଭାଗ ମାଲିକାନା ହାତେଇବା ପାଇଁ ଟାଟା ପାୱାର କୁଆଡେ଼ ଶାସକ ଦଳକୁ ମୋଟା ଅଙ୍କର ଚାନ୍ଦା ଦେବାକୁ ରାଜି ହୋଇଛି । ଲୋକଙ୍କ ଝାଳବୁହା ଧନକୁ ବିଭିନ୍ନ ଯୋଜନା ଜରିଆରେ ଲୋକଙ୍କ ହାତରେ ଧରାଇ ଭୋଟ ସାଉଁଟୁଥିବା କଳାଟି ନବୀନବାବୁଙ୍କଠାରୁ ଆରମ୍ଭ ହୋଇଛି । ଏବେ ରାଜ୍ୟ ବଜେଟରେ ବ୍ୟୟବରାଦ କରି ଘରୋଇ ମାଲିକଙ୍କ ହାତକୁ ଚିକ୍କଣ କରିବାର କଳାଟି ପ୍ରଧାନମନ୍ତ୍ରୀ ମୋଦୀଙ୍କଠାରୁ ଉଧାର ଆଣିଛନ୍ତି । କିନ୍ତୁ ଇତିହାସକୁ ଦେଖିଲେ, କଂଗ୍ରେସ ସବୁଠୁ ଆଗରେ ରହିଛି । ମୋଟ ଉପରେ କହିଲେ, ଦେଶବାସୀଙ୍କ ପ୍ରତି କୌଣସି ରାଜନୈତିକ ଦଳ ସମର୍ପିତ ନୁହନ୍ତି ।

ରାଜ୍ୟ ସରକାରଙ୍କୁ ପ୍ରତିନିଧିତ୍ୱ କରି ଆସୁଥିବା ରାଜନୈତିକ ଦଳଗୁଡ଼ିକର ଅସଲ ଉଦ୍ଦେଶ୍ୟକୁ ଟିକେ ଓପିଜିସି ତରାଜୁରେ ଓଜନ କରିବା ଆସନ୍ତୁ । ୧୯୯୯ ରେ ଓପିଜିସିର ୪୯ ଭାଗ ଅଂଶଧନକୁ ଏଇଏସ୍‌ କିଣି ନେଇ ଯଥେଷ୍ଟ ଫାଇଦା ପାଇଛି । ତକ୍ରାଳୀନ କ୍ଷମତାସୀନ ଦଳ ଏଇଏସ୍‌ଠାରୁ ଭଲ ରକମର ଚାନ୍ଦା ଗୋଟାଇଥିଲା । ତେଣୁ ଚାନ୍ଦା ବାବଦକୁ ଦେଇଥିବା ଅର୍ଥର ଢେରଗୁଣ ସାଉଁଟିବା ପରେ ମଧ୍ୟ ଓପିଜିସିର ଦୁଇଟି ପ୍ରକଳ୍ପ ନିର୍ମାଣ ପ୍ରତି କାଳକ୍ଷେପଣ ନୀତି ଆଦରି ନେବାରୁ ରାଜ୍ୟ ସରକାର ତାକୁ ବଳପୂର୍ବକ ତଡ଼ିଲେ । ଦୁର୍ନୀତିର ପ୍ରଖର ସ୍ରୋତରେ ପଡ଼ିଥିଲେ ମଧ୍ୟ ଓପିଜିସି ନିଜକୁ ଦୁଧିଆଳୀ ଗାଈ ଭାବେ ପ୍ରମାଣିତ କରିଛି । ଏବେ ଓପିଜିସି ୧୭୪୦ ମେଗାୱାଟ୍‌ ବିଜୁଳି ଉତ୍ପାଦନ କରିବାକୁ ସକ୍ଷମ । କିନ୍ତୁ ରାଜ୍ୟ ସରକାର ତାକୁ ଘରୋଇ ମାଲିକାନାକୁ ଦେବା ପାଇଁ ସଜବାଜ ହେଲେଣି ।