ଝୁଲନ୍ତା ମୃତଦେହ ଉଦ୍ଧାର

କେନ୍ଦୁଝର : ଜଙ୍ଗଲ ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ଗେଣ୍ଡାଗଡ଼ିଆ ଗ୍ରାମରେ। ଗ୍ରାମ ଜଙ୍ଗଲରେ ଏକ ଗଛରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ରହିଥିବା ସ୍ଥାନୀୟ ଲୋକେ ଆଜି ସକାଳୁ ଦେଖିବାକୁ ପାଇଥିଲେ। ପରେ ଏ ନେଇ କପ୍ତିପଦା ପୋଲିସ କୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତକ ଜଣକ ମହିଷାସୁରି କଲୋନୀସାହିର ଯୋଗେନ୍ଦ୍ର ଦେହୁରୀ ବୋଲି ପୋଲିସ ଜାଣିବାକୁ ପାଇଛି। ତେବେ ଯୋଗେନ୍ଦ୍ରଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ସେ ଆତ୍ମହତ୍ୟା କରିଛନ୍ତି ନା ଏହା ଏକ ହତ୍ୟାକାଣ୍ଡ ତାହାର ଛାନଭିନ କରୁଛି କପ୍ତିପଦା ପୋଲିସ।

ଯଦି ଆତ୍ମହତ୍ୟା ତେବେ କେଉଁ କାରଣ ପାଇଁ ସେ ଆତ୍ମହତ୍ୟା କରିଛନ୍ତି ତାହା ପୋଲିସ ତଦନ୍ତ କରୁଛି। ସ୍ଥାନୀୟ ଲୋକଙ୍କ କହିବାନୁସାରେ ଗତକାଲି ଯୋଗେନ୍ଦ୍ର ଏବଂ ତାଙ୍କ ସ୍ତ୍ରୀ ଙ୍କ ମଧ୍ୟରେ କୌଣସି କଥା କୁ ନେଇ ଝଗଡା ହୋଇଥିଲା ଏବଂ ତା ପରେ ଯୋଗେନ୍ଦ୍ର ଘରୁ ବାହାରି ଆସି ଆଉ ଘରକୁ ଫେରି ନ ଥିଲେ। ତେଣୁ ହୋଇଥାଇପାରେ ପାରିବାରିକ କଳହରୁ ଯୋଗେନ୍ଦ୍ର ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୋଲିସ ଅନୁମାନ କରୁଛି।