ସିଆନାଳରୁ ସୁନା ଝାରୁଛନ୍ତି ଭୂୟାଁ ପରିବାର

ବଜାରରେ ସୁନାଦର ଏପରି ମହଙ୍ଗା ହେବାରେ ….

ଝୁମ୍ପୁରା: ବଜାରରେ ସୁନାଦର ଏପରି ମହଙ୍ଗା ହେବାରେ ଲାଗିଛି ଯେ, ଶେଷରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ଷେ ଯାଏ ସୁନା ନ କିଣିବାକୁ ଦେଶବାସୀଙ୍କୁ ଅପିଲ କରିଛନ୍ତି।
ଆଉ ଏହାପରେ ବିବାହ, ବ୍ରତ ଆଦି ଭଲମନ୍ଦ କାର୍ଯ୍ୟରେ ସୁନା ଅଳଙ୍କାର ବ୍ୟବହାରକୁ ନେଇ ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଆଶା ଆଶଙ୍କା । ଏପରିସ୍ଥଳେ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ସିଂପୁର ପଂଚାୟତର ଗଜପୁର ମାଟିର ଝରାସୁନା ଆଲୋଚନାର ପରିସରକୁ ଆସିଛି।

ଗଜପୁର ନିକଟ ସିଆନାଳରେ ଆଜି ବି ଲୋକେ ମାଟିରୁ ସୁନା ଝାରୁଛନ୍ତି। ସୁନା ମହଙ୍ଗା ହେଉ କି ଶସ୍ତା ଏଠାକାର ଲୋକଙ୍କ ପାଇଁ ଝରାସୁନା ହିଁ ଭରସା।
ପାଣିରୁ ସୁନା ଝାରିବା ସାଧାରଣତଃ ଝରାଜାତିର ଲୋକଙ୍କ କୌଳିକ ବୃତି। ପୂର୍ବରୁ ସିଂପୁର ଗ୍ରାମରେ ଅନେକ ଝରା ପରିବାର ରହୁଥିଲେ।

ଝରାମାନେ ପିଢ଼ି ପରେ ପିଢ଼ି ଏହି ଅଂଚଳର ନଦୀ, ନାଳ ମାନଙ୍କରୁ ସୁନା ଝାରୁଥିବା ବେଳେ କୌଣସି କାରଣରୁ ସେମାନେ ଗାଁ ଛାଡି ଚାଲିଯିବାପରେ ବର୍ତମାନ ସିଂପୁର ଅଂଚଳର କିଛି ଭୂୟାଁ ପରିବାର ପାଣିରୁ ସୁନା ଝାରିବା କାର୍ଯ୍ୟକୁ ବୃତି କରିଛନ୍ତି। ପାରମ୍ପରିକ ଉପାୟରେ ଫଳା, କାଉଡି ଓ ରୁଂଚୁଣି ବ୍ୟବହାର କରି ଏମାନେ ପାଣିରେ ମାଟି ଛାଣି ସୁନା କଣିକା ସଂଗ୍ରହ କରୁଛନ୍ତି।

ସୁନା କଣିକା ଗୁଡିକ ଦିନଦିନ ଧରି ସଂଗ୍ରହ କରିବା ପରେ ନିଆଁରେ ଆଉଟି ବଣିଆ ମାଧ୍ୟମରେ ନିଜ ଝିଅ ପୁଅଙ୍କ ପାଇଁ ଅଳଙ୍କାର ଗଢ଼ାଉଛନ୍ତି। ସେଥିରୁ କିଛି କିଛି ବିକି ଗୁଜୁରାଣ ମେଂଟାଉଛନ୍ତି।
ତେବେ ବଜାରକୁ ହଲ୍‌ ମାର୍କ ସୁନା ଆସିବା ପରେ ଏହି ଝରାସୁନା କେବଳ ସେହି ସମ୍ପ୍ରଦାୟ ମଧ୍ୟରେ ସୀମିତ ରହିଛି। ବର୍ତମାନ ସିଂପୁର ଅଂଚଳର କରୁଣା ଦେହୁରୀ, ଦଶରଥ ଦେହୁରୀ, ଶିବ ଦେହୁରୀ, ଚେମଣୀ ଦେହୁରୀ, ତ୍ରିବେଣୀ ଦେହୁରୀ, କଲରୀ ଦେହୁରୀ, ହୀରାମଣି ଦେହୁରୀ, ଯୁଗଳ ଦେହୁରୀ ପ୍ରମୁଖ ଭୂୟାଁ ପରିବାରର ଲୋକେ ଗଜପୁର ନିକଟ ସିହା ନାଳରୁ ସୁନା ଝାରିବା କାର୍ଯ୍ୟ ଜାରି ରଖିଛନ୍ତି।
ସେମାନଙ୍କ କହିବା ଅନୁଯାୟୀ, ତାଙ୍କ ପରିବାର ଲୋକେ ଝରାମାନଙ୍କ ଠାରୁ ସୁନା ଝାରିବା କୌଶଳ ଶିଖିବା ପରେ ୩ ପିଢ଼ି ହେଲା ପାଣିରୁ ସୁନା ଝାରିବା କାମ କରି ଆସୁଛନ୍ତି।

ପ୍ରଥମେ ରୁଂଚୁଣି ସାହାଯ୍ୟରେ ନାଳ କୂଳର ବାଲି କାଦୁଅ ମିଶା ମାଟିକୁ ଫଳାରେ ସଂଗ୍ରହ କରାଯାଏ। ଏହାପରେ ଉକ୍ତ ମାଟିରେ ପାଣି ମିଶାଇ ହାତରେ ଚକୁଟି ଦିଆଯାଏ। ଅଳ୍ପ ପାଣି ଉପରେ ଫଳାକୁ ରଖି କୌଶଳକ୍ରମେ ହଲେଇ ହଲେଇ ଗାଡି, ବାଲି କାଦୁଅକୁ ସଫା କରାଯାଏ। ଶେଷରେ କଳା ବୋଲି ମିଶ୍ରିତ ସୁନା କଣିକା ଅଲଗା ହୋଇ ଫଳାରେ ଦେଖାଯାଏ।

ସୁନା କଣିକା ଗୁଡିକୁ ଫଳାରୁ ବାହାର କରି କାହୁଡିରେ ଏକତ୍ରିତ କରିବା ପରେ ଘରକୁ ନିଅନ୍ତି। ପରେ ଘରେ ଅଳ୍ପ ନିଆଁ ଅଙ୍ଗାରରେ ରଖି ଫୁଙ୍କି ଫୁଙ୍କି ମଇଳା ଅଂଶ ପୋଡି ଶୁଦ୍ଧ କରନ୍ତି। ଦିନ ତମାମ ସୁନା ଝାରିବା ପରେ ୧ରୁ ଦୁଇ ରତି ସୁନା ସଂଗ୍ରହ ହୁଏ ବୋଲି କହିଛନ୍ତି ଚେମଣୀ ଦେହୁରୀ। ଏକ ଭରି ବା ୧୦ ଗ୍ରାମ ସୁନା ସଂଗ୍ରହ କରିବାକୁ ସପ୍ତାହେରୁ ଆରମ୍ଭ କରି ୬ ମାସ ପର୍ଯ୍ୟନ୍ତ ସମୟ ଲାଗେ।
ଏହି ସୁନା ବିକ୍ରି କରି ୫ ପୁଅ, ଝିଅଙ୍କୁ ପାଠ ପଢ଼ାଇବା ଠାରୁ ଆରମ୍ଭ କରି ବାହାଘର କରିବା ସହ ପରିବାର ପ୍ରତିପୋଷଣ କରି ପାରିଛି ବୋଲି କହିଛନ୍ତି ବିଧବା ଚେମଣୀ ଦେହୁରୀ।

ସାତ ବର୍ଷ ବୟସରୁ ସୁନା ଝାରିବା ଆରମ୍ଭ କରିଛି ବୋଲି ୨୫ ବର୍ଷିଆ ହୀରାମଣି ହେହୁରୀ କହିଥିବା ବେଳେ ନିଜେ ସଂଗ୍ରହ କରିଥିବା ସୁନାରେ ଅଳଙ୍କାର ଗଢି ନିଜ ବେକରେ ପିନ୍ଧିଥିବା ପ୍ରକାଶ କରିଛନ୍ତି। ନିଜେ ସଂଗ୍ରହ କରିଥିବା ସୁନାରେ ସୁନା କାନ ଫୁଲ ତିଆରି କରିଛନ୍ତି ତ୍ରିବେଣୀ ଦେହୁରୀ। ତେବେ କେବଳ ସିହାନାଳ ନୁହେଁ ଗଜପୁର ନିକଟବର୍ତୀ ବଇଙ୍ଗା, ମଲଦା ଆଦି ନଦୀ ସହିତ ବହୁ ଛୋଟ ବଡ ନାଳରୁ ମଧ୍ୟ ସୁନା ଝାରୁଛନ୍ତି ଲୋକେ। ବେଳେବେଳେ ବାହାର ଅଂଚଳର ଝରାମାନେ ମଧ୍ୟ ଏହି ଅଂଚଳକୁ ଆସି ସୁନା ଝାରୁଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।

ଏହି ଅଂଚଳର ମାଟିରେ ସୁନା ରହିଥିବା ଏଠାକାର ଲୋକେ ବହୁ ପୂର୍ବରୁ ଜାଣିଛନ୍ତି। ନିକଟରେ ଭାରତୀୟ ଭୂ-ବୈଜ୍ଞାନିକ ସଂସ୍ଥା ଦ୍ୱାରା ସର୍ଭେ ରିପୋର୍ଟରୁ କେନ୍ଦୁଝର ଜିଲ୍ଲାର ଗଜପୁରରେ ସୁନାଖଣିର ସନ୍ଧାନ ମିଳିଥିବା କୁହାଯାଇଛି। ଗତ ବର୍ଷ ବିଧାୟକ ଅଶ୍ୱିନୀ କୁମାର ପାତ୍ର ଓ ଉପସନା ମହାପାତ୍ର ବିଧାନସଭାରେ ପ୍ରଶ୍ନ କରିଥିବାବେଳେ ଏହାର ଉତରରେ ରାଜ୍ୟର ଦୁଇଟି ଜିଲ୍ଲାରେ ସୁନା ଖଣିର ସନ୍ଧାନ ମିଳିଥିବା ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି।