ଶିମିଳିପାଳରେ ବିରଳ କଳା ମହାବଳ ବାଘ ଶିକାର, ୩ ଗିରଫ

ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ପୁଣି ବାଘ …

ବାରିପଦା: ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ପୁଣି ବାଘ ଶିକାର ହୋଇଛି। ବିରଳ କଳା ମହାବଳ ବାଘ ଛୁଆକୁ ଶିକାର କରିଛନ୍ତି କିଛି ଶିକାରୀ। ଏହି ଘଟଣାରେ ବନ ବିଭାଗ ବାଘ ଚମଡା ଜବତ କରିଛି; ୩ ଜଣଙ୍କୁ ଗିରଫ କରିଛି।

ତିନି ଅଭିଯୁକ୍ତ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ବଡପଥରା ପଂଚାୟତ ବନ୍ଧଗଡର ଗଙ୍ଗାଧର ମର୍ମୁ (୬୨), ପତିହିଞ୍ଜା ପଂଚାୟତ କଥରୁମାର ରାମଦାନ ହେମ୍ବ୍ରମ୍‌ (୪୦), ବୁଦ୍ଧିଖମାରିର ଜୋକା ଗାଁର ଭୀମା ବାସ୍କେ(୪୦)। ସେମାନଙ୍କ ନିକଟରୁ ତିନିଟି ମୋଟର ସାଇକଲ୍‌ ଓ ଶିକାର ସାମଗ୍ରୀ ଜବତ କରାଯାଇଛି।

ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପକ୍ଷେତ୍ର ନିର୍ଦ୍ଦେଶକ(ଦକ୍ଷିଣ) ସୁମିତ କୁମାର କର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ବୁଧବାର ଖୁଂଟା ଥାନା ଅଧୀନ ବାସିପିଠା ବାଘ ଚମଡ଼ା ବିକ୍ରି ପାଇଁ ଡିଲ୍‌ ଚାଲିଥିଲା ବେଳେ ଚଢ଼ାଉ ହୋଇଥିଲା। ସେମାନଙ୍କ ଠାରୁ ୩ଟି ବାଇକ, ୨ଟି ମୋବାଇଲ ଫୋନ ଜବତ୍‌ କରାଯାଇଛି। ଚମଡ଼ାଟି ପ୍ରାୟ ୨ ବର୍ଷର କଳାବାଘ ଶାବକର ବୋଲି ଅନୁମାନ କରାଯାଉଛି। ପରୀକ୍ଷାଗାରକୁ ନମୁନା ପଠାଯାଇଛି। ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଓ ସବିଶେଷ ସୂଚନା ମିଳିପାରିବ। ସୂଚନାଯୋଗ୍ୟ, ବିଶ୍ୱର ବିରଳ କଳା ମହାବଳ ବାଘ ଶିମିଳିପାଳରେ କେବଳ ରହିଛି। ସରକାରଙ୍କ ସୂଚନାନୁସାରେ ବର୍ତମାନ ୨୦ଟି ବାଘ ରହିଛନ୍ତି। ତେବେ ଅନ୍ତର୍ଜାତୀୟ ବଜାରରେ ଏହାର ଚମଡାର ଅନେକ ଚାହିଦା ରହିଥିବାରୁ ଏହା ପଶୁ ଶିକାରୀଙ୍କ ପ୍ରମୁଖ ଟାର୍ଗେଟ୍‌ରେ ରହିଛି। ଜାନୁଆରି ୨୦୨୫ରେ, ଜେନାବିଲ୍‌ଠାରେ କିଶୋର କଳା ମହାବଳ ବାଘର ଛାଲ, ନଖ ଆଦି ଜବତ କରିବା ସହ ଏକାଧିକ ଶିକାରୀଙ୍କୁ ଗିରଫ କରାଯାଇଥିଲା। ମାର୍ଚ୍ଚ ୨୦୨୬ ଅଭିଯାନରେ ବାରିପଦା ବନ ଡିଭିଜନ୍‌ ଅନ୍ତର୍ଗତ କୁଣିଅଣାରେ ୩ ବର୍ଷର କଳା ମହାବଳ ବାଘର ହତ୍ୟା କରାଯାଇଥିଲା। ଏଥିରେ ମଧ୍ୟ ଏକାଧିକ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା। ଦିନକୁ ଦିନ କଳା ମହାବଳ ବାଘର ଶିକାର ବୃଦ୍ଧି ପାଉଥିବା ଏବଂ ଏହା ବନ୍ଦ କରିବାରେ ବନ ବିଭାଗ ସମ୍ପୂର୍ଣ୍ଣ ବିଫଳ ହେଉଥିବା ଦେଖିରୁ ପ୍ରକୃତିପ୍ରେମୀ ଓ ପରିବେଶବିତ୍‌ମାନେ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି।