ପ୍ରଭାତୀ ପରିଡ଼ାଙ୍କ ଦ୍ୱାରା ଶିଶୁ ମଙ୍ଗଳ ସମିତି ସଦସ୍ୟଙ୍କ ୫ ଦିନିଆ ତାଲିମ କାର୍ଯ୍ୟକ୍ରମ ଉଦ୍ଘାଟିତ
ପାଞ୍ଚଦିନିଆ ତାଲିମ କାର୍ଯ୍ୟକ୍ରମର ଉଦ୍ଘାଟନ…
ଭୁବନେଶ୍ବର(ସାକ୍ସୀ ନ୍ୟୁଜ୍): ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଆଜି ଭୁବନେଶ୍ୱରସ୍ଥିତ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନ (SIWC) ପରିସରରେ ଶିଶୁ ମଙ୍ଗଳ ସମିତି (CWC) ର ନୂତନ ଭାବେ ଯୋଗଦେଇଥିବା ସଦସ୍ୟମାନଙ୍କ ଦ୍ୱିତୀୟ ବ୍ୟାଚ୍ ପାଇଁ ଏକ ପାଞ୍ଚଦିନିଆ ତାଲିମ କାର୍ଯ୍ୟକ୍ରମର ଉଦ୍ଘାଟନ କରିଛନ୍ତି । ଏହି ତାଲିମ କାର୍ଯ୍ୟକ୍ରମରେ ୨୭ଟି ଜିଲ୍ଲାରୁ ମୋଟ ୫୮ ଜଣ ସିଡବ୍ଲ୍ୟୁସି ସଦସ୍ୟ ଅଂଶଗ୍ରହଣ କରିଥିଲେ ।

ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ପ୍ରତ୍ୟେକ ଶିଶୁଙ୍କ ପାଇଁ ଏକ ସୁରକ୍ଷିତ, ନିରାପଦ ଏବଂ ଅନୁକୂଳ ପରିବେଶ ନିଶ୍ଚିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ। ଶିଶୁମାନଙ୍କ ଅଧିକାର, ସ୍ୱାଭିମାନ ଏବଂ କଲ୍ୟାଣର ସୁରକ୍ଷା ପାଇଁ ସମସ୍ତ ଅଂଶୀଦାରଙ୍କ ଦ୍ୱାରା ସମନ୍ୱିତ ଏବଂ ସମ୍ବେଦନଶୀଳ ପ୍ରଚେଷ୍ଟାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ନୂତନ ଭାବେ ଯୋଗଦେଇଥିବା ସିଡବ୍ଲ୍ୟୁସି ସଦସ୍ୟମାନଙ୍କୁ ସମ୍ବେଦନଶୀଳତା, ନିଷ୍ଠା ଏବଂ ସହାନୁଭୂତିର ସହ ନିଜର ଦାୟିତ୍ୱ ତୁଲାଇବାକୁ ଆହ୍ୱାନ ଦେଇ ସେ ପ୍ରତ୍ୟେକ ନିଷ୍ପତ୍ତି ଓ ପଦକ୍ଷେପରେ “ଶିଶୁର ସର୍ବୋତ୍ତମ ହିତ”କୁ ପ୍ରାଥମିକତା ଦେବାକୁ ପରାମର୍ଶ ଦେଇଥିଲେ ।
ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶିଶୁ ମଙ୍ଗଳ ସମିତିର ନୂତନ ସଦସ୍ୟମାନଙ୍କ ସହ ଆଲୋଚନା କରି ଶିଶୁ ମାନଙ୍କ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକର ସମାଧାନ କ୍ଷେତ୍ରରେ ସେମାନଙ୍କ ତୃଣମୂଳ ସ୍ତରର ଅଭିଜ୍ଞତା, ଆହ୍ୱାନ ଏବଂ ଦୃଷ୍ଟିକୋଣ ବିଷୟରେ ପ୍ରତ୍ୟକ୍ଷ ମତାମତ ଗ୍ରହଣ କରିଥିଲେ ।
ଉଲ୍ଲେଖଯୋଗ୍ୟ ଯେ, ପ୍ରଥମ ବ୍ୟାଚ୍ରେ ୭୮ ଜଣ ନୂତନ ନିଯୁକ୍ତ ସଦସ୍ୟ ତାଲିମ ଗ୍ରହଣ କରିସାରିଛନ୍ତି। ଏହି ତାଲିମ ସେମାନଙ୍କୁ ଶିଶୁ କଲ୍ୟାଣ ଓ ସୁରକ୍ଷା ଦାୟିତ୍ୱ ପ୍ରଭାବଶାଳୀ ଭାବେ ତୁଲାଇବା ପାଇଁ ଆବଶ୍ୟକୀୟ ଜ୍ଞାନ, ଦକ୍ଷତା ଏବଂ ଦିଗଦର୍ଶନ ପ୍ରଦାନ କରିଛି। ଏହି ତାଲିମ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ହେଉଛି ସିଡବ୍ଲ୍ୟୁସି ସଦସ୍ୟମାନଙ୍କ ଦକ୍ଷତା ବୃଦ୍ଧି କରିବା ଏବଂ ଶିଶୁ ସୁରକ୍ଷା ବ୍ୟବସ୍ଥା, ବୈଧାନିକ ଦାୟିତ୍ୱ ଓ ଶିଶୁ ମଙ୍ଗଳ ପଦକ୍ଷେପଗୁଡ଼ିକର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ସମ୍ପର୍କରେ ସେମାନଙ୍କ ବୁଝାମଣାକୁ ସୁଦୃଢ଼ କରିବା । ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁମାନଙ୍କ ପ୍ରତି ଏକ ଶିଶୁ-ସମ୍ବେଦନଶୀଳ, ଅଧିକାର-ଆଧାରିତ ଏବଂ ପ୍ରତିକ୍ରିୟାଶୀଳ ଦୃଷ୍ଟିକୋଣକୁ ମଜବୁତ କରିବା ଉପରେ ଏହି ତାଲିମ ଆଲୋକପାତ କରିବ ।
ଏହି କାର୍ଯ୍ୟକ୍ରମରେ ଓଏସସିପିସିଆର (OSCPCR) ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର; ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର-ତଥା- ଶାସନ ସଚିବ ଡଃ ମୃଣାଳିନୀ ଦର୍ଶୱାଲ; ଆଇସିଡିଏସ (ICDS), ଏସଡବ୍ଲ୍ୟୁ (SW) ଏବଂ ଓଏସସିପିଏସ (OSCPS) ର ନିର୍ଦ୍ଦେଶିକା ଶ୍ରୀମତୀ ମୋନୀଷା ବାନାର୍ଜୀ; ୟୁନିସେଫ୍ (UNICEF) ର ଅଫିସର-ଇନ୍-ଚାର୍ଜ ତଥା ସିଏଫ୍ଓ ଶ୍ରୀମତୀ ରୀଣି କୁରିଆନ୍; ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ଶିଶୁ କଲ୍ୟାଣ ଶାଖାର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ସୁମିତ୍ରା ପଟ୍ଟନାୟକଙ୍କ ସମେତ CWC ଏବଂ UNICEF ର ସଦସ୍ୟମାନେ ଉପସ୍ଥିତ ଥିଲେ ।