ଆସନ୍ତା ଜୁଲାଇରେ B.Ed ପ୍ରବେଶିକା ପରୀକ୍ଷା, OSSBକୁ ଉଚ୍ଚଶିକ୍ଷା ବିଭାଗର ଚିଠି

ଓଡ଼ିଶା ଷ୍ଟେଟ ସିଲେକ୍ସନ ବୋର୍ଡ (ଓଏସଏସବି) ଏହି ଓଏମଆର ବେସଡ୍ ପରୀକ୍ଷା ଆୟୋଜନ…

ଆସନ୍ତା ଜୁଲାଇ ମାସରେ ୨୦୨୨-୨୪ ଶିକ୍ଷାବର୍ଷ ପାଇଁ ବିଏଡ, ବିଏଚଏଡ ଓ ଏମଏଡ ପାଠ୍ୟକ୍ରମରେ ଆଡମିଶନ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଓଡ଼ିଶା ଷ୍ଟେଟ ସିଲେକ୍ସନ ବୋର୍ଡ (ଓଏସଏସବି) ଏହି ଓଏମଆର ବେସଡ୍ ପରୀକ୍ଷା ଆୟୋଜନ କରିବ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଇଚ୍ଛୁକ ଛାତ୍ରଛାତ୍ରୀମାନେ ସାମସ୍ ପୋର୍ଟାଲ ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ । ତେବେ ଏଥିପାଇଁ ଜୁନ୍ ପହିଲାରୁ ପୋର୍ଟାଲ ଓପନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଜୁନ୍ ମାସ ୨୭ ତାରିଖ ମଧ୍ୟରେ ଆବେଦନ ପ୍ରକ୍ରିୟା ସମାପ୍ତ ହେବ । ଏହାପରେ ସାମସ୍ ପକ୍ଷରୁ ଡିଟେଲ୍ ତଥ୍ୟ ଓଏସଏସବିକୁ ହସ୍ତାସ୍ତର କରାଯିବ । ଜୁଲାଇ ମାସ ୩୧ ତାରିଖ ସୁଦ୍ଧା ରାଜ୍ୟର ୩୦ଟି ଜିଲ୍ଲାରେ ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇ ପରୀକ୍ଷା କରାଯିବ ।

ବିଭିନ୍ନ ପାଠ୍ୟକ୍ରମକୁ ନଜରରେ ରଖି ଓଏସସବି ପକ୍ଷରୁ ପରୀକ୍ଷା କେନ୍ଦ୍ର ଚୟନ, ଓଏମଆର ସିଟ୍ ପ୍ରସ୍ତୁତ, ଆଡମିଟ୍ କାର୍ଡ ଜାରି କରାଯିବ । ଗୋଟିଏ ଦିନରେ ସମସ୍ତ ପରୀକ୍ଷା କରାଯିବାକୁ ଓଏସଏସବି ପଦକ୍ଷେପ ନେବ । ପରୀକ୍ଷା ପରିଚାଳନା ପାଇଁ ସମସ୍ତ ଖର୍ଚ୍ଚ ବିଭାଗ ପକ୍ଷରୁ ବହନ କରାଯିବ । ପରୀକ୍ଷା ସୁଚାରୁରୂପ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବ ଓଏସଏସବି ସଭାପତିଙ୍କୁ ଚିଠି ଲେଖିଛନ୍ତି ।