ଜୁନ୍ ୧ ତାରିଖ ସକାଳ ୫ଟା ଯାଏଁ ରାଜ୍ୟରେ ଜାରି ରହିବ ଲକଡାଉନ୍:ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,(ଏସ୍ ନ୍ୟୁଜ): ରାଜ୍ୟରେ କରୋନା ସଂକ୍ରମଣ ମାମଲା ଲଗାତାର ବୃଦ୍ଧି ପାଉଛି। ସଂକ୍ରମଣ ରୋକିବାକୁ ଅନେକ ରାଜ୍ୟରେ କଟକଣା କଡାକଡି କରାଯାଇଛି। ରାଜ୍ୟ ସରକାର ଲକଡାଉନ୍ ଅବଧିକୁ ବୃଦ୍ଧି କରିଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଦ୍ୱିତୀୟ କୋଭିଡ୍ ଲହରର ଲକଡାଉନ ଜୁନ୍ ୧ ତାରିଖ ସକାଳ ୫ଟା ଯାଏଁ ରାଜ୍ୟରେ ଜାରି ରହିବ ବୋଲି ଘୋଷଣା କରିଛନ୍ତି। ପୂର୍ବ ଭଳି ଶନିବାର ଓ ରବିବାର ସଟ୍ ଡାଉନ୍ ଜାରି ରହିବ। ଏହାସହ ପୂର୍ବ ଗାଇଡଲାଇନରେ କିଛି ପରିବର୍ତ୍ତନ ମଧ୍ୟ କରାଯାଇଛି ।
ସୋମବାରରୁ ଶୁକ୍ରବାର ଦୈନିକ ସକାଳେ ପନିପରିବା କିଣିବା ପାଇଁ ମିଳୁଥିବା ସମୟ ସୀମାକୁ ପରିବର୍ତନ କରାଯାଇଛି ।
ପୂର୍ବରୁ ଏହି ସମୟ ସୀମା ସକାଳ ୬ଟାରୁ ଦିନ ୧୨ଟା ଥିବା ବେଳେ ଏବେ ଏହାକୁ ସକାଳ ୭ଟାରୁ ଦିନ ୧୧ଟା କରି ଦିଆଯାଇଛି। ଫଳରେ ଲୋକଙ୍କୁ ପନିପରିବା ଓ ତେଜରାତି ସାମଗ୍ରୀ କିଣିବା ପାଇଁ ମାତ୍ର ୪ ଘଣ୍ଟା ସମୟ ମିଳିବ।ଚାଲି ଚାଲି ଯାଇ ଲୋକେ ପନିପରିବା ଇତ୍ୟାଦି କ୍ରୟ କରି ପାରିବେ କୁହାଯାଇଛି ।
ଅନ୍ୟପକ୍ଷରେ ଓଡିଶାରେ ଏବେ ବାହାଘର ସମାରୋହରେ ବର୍ତ୍ତମାନ ୨୫ ଜଣଙ୍କୁ ସାମିଲ ହେବାକୁ ଅନୁମତି ଦିଆଯାଇଛି। ଏହା ପୂର୍ବରୁ ବାହାଘର ସମାରୋହରେ ୫୦ ଜଣଙ୍କୁ ସାମିଲ ହେବାକୁ ଅନୁମତି ଦିଆଯାଇଥିଲା। ସାମୁହିକ ଭୋଜି ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। ଅତିଥିମାନେ ଏକାଠି ବସି ଖାଇପାରିବେ ନାହିଁ । ସେମାନଙ୍କୁ ଖାଦ୍ୟ ପ୍ୟାକେଟ୍ କରି ପ୍ରଦାନ କରାଯିବ ।
ଅପରପକ୍ଷରେ ଅନ୍ତ୍ୟେଷ୍ଟି କ୍ରିୟା ଓ ବ୍ରତଘର ସମାରୋହରେ ସର୍ବାଧିକ ୨୦ ଜଣ ସାମିଲ ହେବା ସହ ସମାନ କଟକଣା ଲାଗୁ ହୋଇଛି ।
କିନ୍ତୁ ଏହା ସତ୍ତ୍ୱେ ସଂକ୍ରମଣ କମୁନଥିବା ନଜର ଆସିଛି । ଏବେବି ୧୦ ହଜାର ଉପରେ ଦୈନିକ ସଂକ୍ରମଣ ସାମ୍ନାକୁ ଆସୁଛି । ଆହୁରି ମଧ୍ୟ ଅମାନିଆ ଚେତୁନାହାଁନ୍ତି । ଏସବୁକୁ ନଜରରେ ରଖି ସରକାର ଲକଡାଉନର ଅବଧିକୁ ବୃଦ୍ଧି କରିଛନ୍ତି । ନୂଆ ନିଷ୍ପତ୍ତି ଅନୁସାରେ ଆଉ ୧୩ ଦିନ ବଡିଛି ଲକଡାଉନ୍ । ଏହାକୁ ଜୁନ ୧ ସକାଳ ୫ଟା ଯାଏଁ ବୃଦ୍ଧି କରାଯାଇଛି ।