ଭାଇରସ ଏବେବି ସକ୍ରିୟ, ପ୍ରତିବର୍ଷ ୧ କୋଟି ଜୀବନକୁ ବିପଦ, ଚିନ୍ତାରେ ବିଶେଷଜ୍ଞ

କରୋନା ଥମୁନି, ଭୂତାଣୁ ଭୟ ଯିବନି : ପଶୁପକ୍ଷୀଙ୍କ ଜରିଆରେ ୮.୫ ଲକ୍ଷ ଭୟଙ୍କର ଭାଇରସ ଏବେବି ସକ୍ରିୟ, ପ୍ରତିବର୍ଷ ୧ କୋଟି ଜୀବନକୁ ବିପଦ, ଚିନ୍ତାରେ ବିଶେଷଜ୍ଞ

ନୂଆଦିଲ୍ଲୀ, ୧୮।୦୫: ଭବିଷ୍ୟତରେ ପଶୁଙ୍କଠାରୁ ମଣିଷଙ୍କୁ ବ୍ୟାପୁଥିବା ରୋଗର ମାତ୍ରା ବଢିପାରେ । ଯଦି ଠୋସ୍ ପଦକ୍ଷେପ ଗ୍ରହଣ କରାନଯାଏ ତେବେ ୨୦୫୦ ବେଳକୁ ଏପ୍ରକାର ରୋଗ ପ୍ରତିବର୍ଷ ୧ କୋଟି ଜୀବନ ନେବ । ଏହି ସଂଖ୍ୟା କ୍ୟାନ୍ସର ଓ ସଡକ ଦୁର୍ଘଟଣାରେ ମୃତକଙ୍କୁ ମଧ୍ୟ ଟପିଯିବ ।

ଇଣ୍ଡିଆନ ଜର୍ଣ୍ଣାଲ ଅଫ୍ ମେଡିକାଲ ରିସର୍ଚ୍ଚର ରିପୋର୍ଟ ଅନୁସାରେ, ଗତ ୨ ଦଶନ୍ଧୀ ହେଲା ଜୁନାଟିକ୍ ରୋଗର ପ୍ରକୋପ ବଢିଛି । ୨୦୦୦ରୁ ପ୍ରତି ତୃତୀୟ ବର୍ଷରେ ଏକ ବଡ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୁଏ । ଯେଉଁଥିରେ ପଶୁଙ୍କଠାରୁ ମଣିଷଙ୍କୁ ବିଭିନ୍ନ ଭାଇରସ, ପାନ୍ଥୋଜେନ୍ ଓ ବ୍ୟାକ୍ଟେରିଆ ବ୍ୟାପିଥାଏ । ଫଳରେ ଜାପାନୀ ଏନସେଫାଲାଇଟସ, ବାର୍ଡ ଫ୍ଲୁ, ନିପାହ, ସାର୍ସ, ଜିକା ଆଦି ରୋଗ ସାମିଲ ରହିଛି ।

ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ଏବେ ୮ ଲକ୍ଷ ୫୦ ହଜାରରୁ ଅଧିକ ଭାଇରସ ଓ ପାଥୋଜେନ୍ ସକ୍ରିୟ ଅଛନ୍ତି । ଏହାସହ ୨୦ ହଜାରରୁ ଅଧିକ ପ୍ରକାରର କରୋନା ଭାଇରସ ରହିଛି । ଏହା ପଶୁ ପକ୍ଷୀଙ୍କ ଜରିଆରେ ମଣିଷଙ୍କୁ ବ୍ୟାପେ । ଏପରି ବିପଦ ପୂର୍ବ ତୁଳନାରେ ବଢିଛି । ଜଳବାୟୁ ପରିବର୍ତ୍ତନ ସହ ପଶୁଙ୍କୁ ଅଧିକ ଆଣ୍ଟି ବାୟୋଟିକ୍ ଔଷଧ ଅଧିକ ଦେବା ଦ୍ୱାରା ମାଇକ୍ରୋବାୟଲ ରେଜିଷ୍ଟାନ୍ସ ଉତ୍ପନ୍ନ ହୁଏ । ଯାହା ଭାଇରସ ମ୍ୟୁଟେସନର ପ୍ରଧାନ କାରଣ ଅଟେ । ଏହାସହ ଦୂଷିତ ପରିବେଶ ପାଇଁ ମଧ୍ୟ ପଶୁଙ୍କଠାରୁ ମଣିଷକୁ ଅନେକ ରୋଗ ବ୍ୟାପେ ।

ଆହୁରି ମଧ୍ୟ କୁହାଯାଇଛି ଯେ, ଏହାର ମୁକାବିଲା ପାଇଁ ଏକ ସ୍ୱାସ୍ଥ୍ୟ ଦୃଷ୍ଟିକୋଣକୁ ଆପଣାଇବାକୁ ହେବ । ଏହାସହ ପଶୁଙ୍କ ସ୍ୱାସ୍ଥ୍ୟ ମଧ୍ୟ ନଜରରେ ରଖିବାକୁ ହେବ । ପଶୁ ଚିକିତ୍ସା ବିଜ୍ଞାନୀମାନେ ଚିକିତ୍ସକଙ୍କ ସହ ମିଶି ଏ ଦିଗରେ ଗବେଷଣା କରିବାର ଆବଶ୍ୟକତା ରହିଛି ବୋଲି ରିପୋର୍ଟରେ ପ୍ରକାଶ ପାଇଛି ।