ଯୋଡପୋଡା-ବସ୍ତା ମୁଖ୍ୟରାସ୍ତା ଉପରେ ଦନ୍ତାହାତୀ

ଦୁଇ ଘଣ୍ଟା ରୁ ଅଧିକ ସମୟ ଧରି ଯାତାୟାତ ଠପ୍

ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ …

ବାରିପଦା,(ସାକ୍‌ସୀ ନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ରାସଗୋବିନ୍ଦପୁର ବ୍ଲକ ଅଞ୍ଚଳରେ ୨୭ ଟି ହାତୀ ରହିଥିବା ବେଳେ ୧୨ ଟି ହାତୀ ସାରମୂଳା ଅଞ୍ଚଳରେ ରହିଛି । ହାତୀପଲ ଉପଦ୍ରବ ଯୋଗୁଁ ସପ୍ତାହକ ମଧ୍ୟରେ ସାତୋଟିରୁ ଅଧିକ ଘର ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି କରିଥିବା ଅଭିଯୋଗ ହେଉଛି । ତେବେ ଆଜି ସକାଳ ୬ ଟା ସମୟରେ ୧୨ ଟିକିଆ ହାତୀପଲ ମଧ୍ୟରୁ ଏକ ଦନ୍ତାହାତୀ ଯୋଡପଡା ବଜାରକୁ ଆସି ରାସ୍ତା ପାର୍ଶ୍ବରେ ଥିବା ପଣସ ଗଛରୁ ପଣସ ଖାଉଥିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ । ତେବେ ହାତୀଟି ଯୋଡପଡା – ବସ୍ତା ମୁଖ୍ୟରାସ୍ତା ଉପରେ ଦୀର୍ଘ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଛିଡା ହୋଇ ରହିଥିବା ଯୋଗୁଁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା । ତେବେ ହାତୀକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କର ଭିଡ଼ ଜମିଥିବା ଦେଖିବାକୁ ମିଳିଛି ।

ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ନଥିବାରୁ ସ୍ଥାନୀୟ ଲୋକେ ହାତୀକୁ ଘୋଡାଇବାକୁ ଚେଷ୍ଟା କରିବାରୁ ହାତୀଟି ଆକ୍ରମଣ କରିବାକୁ ଚେଷ୍ଟା କରୁଥିବାନେଇ ହେଉଥିବା ଅଭିଯୋଗରୁ ଜଣାପଡିଛି । ତେଵେ ଗୋଟେପଟେ ଲଗାଣ ବର୍ଷା ଯୋଗୁଁ ଲୋକେ ଅଥୟ ହୋଇ ପଡ଼ିଥିବା ବେଳେ ଦନ୍ତାହାତୀ ଯୋଗୁଁ ଉକ୍ତ ଅଞ୍ଚଳର ଲୋକେ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି ।

ତେବେ ବର୍ତ୍ତମାନ ସୁଦ୍ଧା ଜଙ୍ଗଲୀ ହାତୀ କାହାରି କିଛି କ୍ଷୟକ୍ଷତି କରି ନାହଁ । ଅନ୍ୟପଟେ ଏନେଇ ଖବର ପାଇବା ପରେ ରେଞ୍ଜର ଘନଶ୍ୟାମ ସିଂ ସଙ୍ଗେ ସଙ୍ଗେ ହାତୀ ଘଉଡ଼ାଇବା ଟିମ ପଠାଇ ସ୍ଥିତି ନିୟନ୍ତ୍ରଣ ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରିଥିବାରୁ ଅଞ୍ଚଳବାସୀ ତାଙ୍କୁ ଧନ୍ୟବାଦ ଦେଉଥିବା ଦେଖିବାକୁ ମିଳିଛି ।