ଲୋକପ୍ରିୟ ନେତା ସରପଞ୍ଚଙ୍କ ସ୍ୱାମୀ ରାଣେ ମାର୍ଣ୍ଡିଙ୍କ ଅକାଳ ବିୟୋଗରେ ଶୋକାକୁଳ କୋହି ଅଞ୍ଚଳ
ଅକାଳରେ ଲିଭିଗଲା ଏକ ଜୀବନର ଦୀପ …
ବାରିପଦା(ସାକ୍ସୀ ନ୍ୟୁଜ୍) : ଅକାଳରେ ଲିଭିଗଲା ଏକ ଜୀବନର ଦୀପ। ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ କୋହି ପଞ୍ଚାୟତ ଅଞ୍ଚଳରେ ଶୋକର ଛାୟା । କୋହି ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀ ତଥା ଅଞ୍ଚଳର ଜଣେ ଆଗଧାଡ଼ିର ନେତା ରାଣେ ମାର୍ଣ୍ଡିଙ୍କ ମାତ୍ର ୪୫ ବର୍ଷ ବୟସରେ ଅକାଳ ବିୟୋଗ ଅଞ୍ଚଳବାସୀଙ୍କୁ ଗଭୀର ଭାବେ ମର୍ମାହତ କରିଛି ।
ତାଙ୍କ ବିୟୋଗ ଖବର ପ୍ରଚାର ହେବା ପରେ କୋହି ଅଞ୍ଚଳରେ ଖେଳିଯାଇଛି ଶୋକର ଲହରୀ । ପରିବାର, ସମ୍ପର୍କୀୟ ଓ ଶୁଭେଚ୍ଛୁଙ୍କ ଆଖିରେ ଲୁହ, ଆଉ ଗାଁ ଦାଣ୍ଡରେ ଶୁଭୁଛି କାନ୍ଦ ବୋବାଳି । ଯେଉଁ ମଣିଷଟି ଗତକାଲି ପର୍ଯ୍ୟନ୍ତ ଲୋକଙ୍କ ସୁଖଦୁଃଖରେ ସାଥୀ ହେଉଥିଲେ, ଆଜି ତାଙ୍କୁ ହରାଇ ଅଞ୍ଚଳବାସୀ ନିଜକୁ ଏକା ଅନୁଭବ କରୁଛନ୍ତି।
ରାଣେ ମାର୍ଣ୍ଡି ଥିଲେ ଜଣେ ଲୋକପ୍ରିୟ ଓ ଜନସମ୍ପର୍କ ରଖୁଥିବା ବ୍ୟକ୍ତି । ଅଞ୍ଚଳବାସୀଙ୍କ ସମସ୍ୟାକୁ ନିଜ ସମସ୍ୟା ଭାବି ତାହାର ସମାଧାନ ପାଇଁ ଆଗେଇ ଆସୁଥିଲେ। ସେ ସ୍ୱାଭାବରେ ଜଣେ ମିଷ୍ଟଭାଷୀ, ଭଦ୍ର, ନମ୍ର ଓ ସହଜରେ ମିଶିଯିବାର ଗୁଣ ତାଙ୍କୁ ଲୋକଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା।
ତାଙ୍କ ଶେଷ ଦର୍ଶନ ପାଇଁ ମୋରଡା ବ୍ଲକର ବିଭିନ୍ନ ପଞ୍ଚାୟତର ସରପଞ୍ଚ, ବିଜୁ ଜନତା ଦଳର ନେତା ଓ କର୍ମୀଙ୍କ ସମେତ ମୋରଡା ବ୍ଲକ ଚେୟାରମ୍ୟାନ ଉପସ୍ଥିତ ହୋଇ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ।
ସେହିପରି କୋହି ପଞ୍ଚାୟତ ପିଇଓ, ଏଡିଇଓ , ଜିଆରଏସଙ୍କ ସମେତ ସମସ୍ତ କର୍ମଚାରୀ ମଧ୍ୟ ରାଣେ ମାର୍ଣ୍ଡିଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଶେଷରେ ଶତାଧିକ ଅଞ୍ଚଳବାସୀଙ୍କ ଉପସ୍ଥିତିରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିଲା। ଅଶ୍ରୁଳ ଆଖିରେ ଲୋକେ ନିଜର ପ୍ରିୟ ମଣିଷଙ୍କୁ ଶେଷ ବିଦାୟ ଦେଉଥିବାର କରୁଣ ଦୃଶ୍ୟ ଦେଖିବାକୁ ମିଳିଥିଲା।
ଜଣେ ଭଲ ମଣିଷ, ଜନପ୍ରିୟ ନେତା ଓ ଲୋକଙ୍କ ସୁଖଦୁଃଖର ସାଥୀ ଭାବେ ରାଣେ ମାର୍ଣ୍ଡିଙ୍କ ସ୍ମୃତି ଅଞ୍ଚଳବାସୀଙ୍କ ମନରେ ସବୁଦିନ ଜୀବିତ ରହିବ । ରାଣେ ମାର୍ଣ୍ଡିଙ୍କ ଅକାଳ ବିୟୋଗରେ ଅଞ୍ଚଳବାସୀଙ୍କ ଆଖିରେ ଲୁହ… ହେଲେ ତାଙ୍କ ଭଲକାମ ଓ ମଣିଷପଣିଆର ସ୍ମୃତି ସବୁଦିନ ପାଇଁ ହୋଇ ରହିବ ଅମର।