ଚିତ୍ରଡା ରାଜାବନ୍ଧ କଲଭର୍ଟ ଉପରେ ବର୍ଷାଜଳ ପ୍ରବାହିତ ଯାତାୟାତ ବାଧାପ୍ରାପ୍ତ

ଲଗାଣ ବର୍ଷା ପାଇଁ ବଢୁଛି ଲୋକଙ୍କ ସମସ୍ୟା ….

ବାରିପଦା: ଲଗାଣ ବର୍ଷା ପାଇଁ ବଢୁଛି ଲୋକଙ୍କ ସମସ୍ୟା l ପ୍ରଭାବିତ ହେଉଛି ଦୈନନ୍ଦିନ ଜୀବନ ଧାରଣର ଶୈଳୀ l ସେହିପରି ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଦିନମଜୁରିଆ l
ଅନେକ ଦିନମଜୁରିଆ ପରିବାର ଦୈନିକ କାମ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଲଗାଣ ବର୍ଷା ତାଙ୍କ ପାଇଁ ଅଭିଶାପ ପାଲଟି ଯାଇଛି l ଫଳରେ ଅଳିଏ ଖାଇ ଦଣ୍ଡେ ଜିଇଁବା ଭଳି ସ୍ଥିତିର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି l ଅନ୍ୟପଟେ ଲଗାଣ ବର୍ଷା ଯୋଗୁଁ ବାରିପଦା-ଚିତ୍ରଡା-ଅମର୍ଦା ୬୧ ନମ୍ବର ରାଜ୍ୟ ରାଜପଥର ଚିତ୍ରଡା ରାଜାବନ୍ଧ କଲଭର୍ଟ ଉପରେ ବର୍ଷାଜଳ ପ୍ରବାହିତ ହେଉଥିବାରୁ ଯାତାୟାତ ବାଧାପ୍ରାପ୍ତ ହେଉଥିବା ଦେଖିବାକୁ ମିଳିଛି ।

ଏମିତିକି କଲଭର୍ଟ ଉପରେ ପାଣିର ସ୍ରୋତ ଅତ୍ୟଧିକ ଥିବାରୁ ଯାନବାହାନ ଚଳାଚଳ ବନ୍ଦ ହୋଇଯାଇଛି। ବ୍ଲକ କାର୍ଯ୍ୟାଳୟ, କୃଷି ବିଭାଗ, ଲ୍ୟାମ୍ପ୍ସ,ଯୋଗାଣ ନିରୀକ୍ଷିକ, ତହସିଲ,ସବ ରେଜିଷ୍ଟ୍ରାର ଅଫିସ, ଭତ୍ତା, ବ୍ଲକ ସମ୍ପ୍ରସାରଣ ଅଧିକାରୀ, ଆଧାର କେନ୍ଦ୍ର, ମତ୍ସ୍ୟ ବିଭାଗ, ଶିଶୁ ସମନ୍ଵୟ ବିଭାଗ,ଉଦ୍ୟାନ ବିଭାଗ ଓଏଲଏମ, ମିଶନ ଶକ୍ତି କାର୍ଯ୍ୟାଳୟ, ଚିତ୍ରଡା ମହାବିଦ୍ୟାଳୟ ତଥା ଦୈନନ୍ଦିନ କାର୍ଯ୍ୟରେ ବଜାରକୁ ଆସୁଥିବା ଲୋକେ, ଛାତ୍ରୀଛାତ୍ର ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳିଛି। ତେବେ ବର୍ଷା ଜାରି ରହିଲେ ପରିସ୍ଥିତି ଆହୁରି ଗୁରୁତର ହେବାର ସମ୍ଭାବନା ରହିଛି।

ମାତ୍ର ସୁରକ୍ଷିତ ଯାତାୟତ ପାଇଁ ଏଠାରେ ଏକ ପୋଲର ଆବଶ୍ୟକତା ରହିଥିବା ବେଳେ ତାର ଗୁରୁତ୍ୱକୁ ଜନପ୍ରତିନିଧି କିମ୍ବା ପ୍ରସାଶନ ଉପଲବ୍ଧି ନ କରିବା ବର୍ତ୍ତମାନର ସ୍ଥିତି ଠାରୁ ବି ଅଧିକ ଦୁଃଖଦାୟକ ବୋଲି ମତପ୍ରକାଶ ପାଉଛି l ଅନ୍ୟପଟେ ଏଠାରେ ତାହୁଁବଡ଼ ତାହୁଁବଡ଼ ଭଳି ମାଳମାଳ ସରକାରୀ ଦଳର ନେତା ହେଲେ ବିଭାଗୀୟ କାମ ଭାଗବଣ୍ଟାକୁ ଗୁରୁତ୍ୱ ଦେଉଥିବା ସ୍ଥଳେ ଲୋକେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ପାଇଁ ମନ୍ତ୍ରୀଙ୍କ ନଜରକୁ ଆଣିବାରେ ବିଫଳ କାହିଁକି ବୋଲି ପ୍ରଶ୍ନ ଉଠୁଥିବା ଲକ୍ଷ୍ୟ କରାଯାଉଛି l ତେଵେ ଏଭଳି ପରିସ୍ଥିତିକୁ ଏଡାଇବା ପାଇଁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଆଗକୁ କି ପଦକ୍ଷେପ ନେଉଛନ୍ତି ତାଉପରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ନଜର l ବାରିପଦାରୁ ଘାସିରାମ ବେହେରାଙ୍କ ରିପୋର୍ଟ