ଦେଶରେ ଲକଡାଉନ ଏଡ଼ାଇବାକୁ ମୋଦିଙ୍କ ପରାମର୍ଶ

ନୂଆଦିଲ୍ଲୀ,ତା୨୦.୪ : ଦେଶରେ କରୋନା ପରିସ୍ଥିତି ହୁହୁ ହୋଇ ବଢ଼ୁଥିବା ବେଳେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟଗୁଡ଼ିକ ଲାଗୁ କରୁଥିବା ଲକଡାଉନ ବିରୋଧରେ ମୋଦି ମତ ଦେଇଛନ୍ତି। ରାଜ୍ୟଗୁଡ଼ିକ ଲକଡାଉନକୁ କରୋନାର ଶେଷ ଅସ୍ତ୍ର ବା ବିକଳ୍ପ ଭାବେ ବ୍ୟବହାର କରନ୍ତୁ। ଲକଡାଉନ ବଦଳରେ ମାଇକ୍ରୋ କଣ୍ଟେନମେଣ୍ଟ ଉପରେ ଅଧିକ ଗୁରୁତ୍ୱ ଦେବାକୁ ହେବ। ସମସ୍ତେ କଟକଣା ମାନିଲେ ଲକଡାଉନର ଆବଶ୍ୟକ ପଡ଼ିବନି। ଆମକୁ ଜୀବନ ସହ ଜୀବିକାକୁ ମଧ୍ୟ ଦେଖିବାକୁ ପଡ଼ିବ। ତେଣୁ ସମସ୍ତଙ୍କୁ ଲକଡାଉନକୁ ଦୂରେଇ ରଖିବାକୁ ପଡ଼ିବ ବୋଲି ସେ କହିଛନ୍ତି।
ମୋଦି କହିଛନ୍ତି, କରୋନାର ପ୍ରଥମ ୱେଭ ତୁଳନାରେ ଦ୍ୱିତୀୟ ୱେଭ ଝଡ଼ ପରି ମାଡ଼ି ଆସୁଛି। ଏହାଦ୍ୱାରା ଭୟଙ୍କର ସ୍ଥିତି ସୃଷ୍ଟି କରିଛି। ଏହି ମହାମାରୀରେ ଅନେକ ଲୋକ ପ୍ରାଣ ହରାଇଛନ୍ତି। କରୋନାରେ ପ୍ରାଣ ହରାଇଥିବା ସମସ୍ତ ଲୋକଙ୍କ ପରିବାର ବର୍ଗଙ୍କୁ ମୁଁ ସମବେଦନା ଜଣାଉଛି।

ଏଭଳି ଏକ ଜଟିଳ ପରିସ୍ଥିତିରେ ଆମେ ଧୈର୍ଯ୍ୟ ନ ହରାଇ ଏକାଠି ଲଢ଼େଇ କରିବା। ଦେଶରେ ବର୍ତ୍ତମାନ ଅମ୍ଳଜାନର ଚାହିଦା ବଢ଼ିଛି। ବିଭିନ୍ନ ରାଜ୍ୟରୁ ଅମ୍ଳଜାନର ଅଭାବ ଅଭିଯୋଗ ଆସିଛି। ଏହାକୁ ଦୂର କରିବା ପାଇଁ କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ପ୍ରାଇଭେଟ କ୍ଷେତ୍ରଗୁଡ଼ିକ ପ୍ରୟାସ କରୁଛନ୍ତି।
ରାଜ୍ୟରେ ନୂଆ ଅମ୍ଳଜାନ ପ୍ଲାଣ୍ଟ ପ୍ରତିଷ୍ଠା ଠାରୁ ଆରମ୍ଭ କରି ସବୁ ପ୍ରକାରର ବ୍ୟବସ୍ଥା ଆପଣା ଯାଉଛି। ସବୁ ଲୋକଙ୍କୁ ଅମ୍ଳଜାନ ଯୋଗାଇ ଦେବାକୁ ଚେଷ୍ଟା କରାଯାଉଛି। କରୋନା ବଢ଼ିବାରୁ ଔଷଧ ଉତ୍ପାଦନ ବୃଦ୍ଧି ପାଇଛି। ଏ ସମ୍ପର୍କରେ ମୁଁ ଦେଶର ବଡ଼ବଡ଼ ଫାର୍ମା କମ୍ପାନୀ ସହ ମଧ୍ୟ କଥା ହୋଇଛି। ଆଗକୁ ଔଷଧ ଉତ୍ପାଦନ ଆହୁରି ତ୍ୱରାନ୍ୱିତ କରିବା ପାଇଁ ସବୁ ପ୍ରକାରର ପଦକ୍ଷେପ ନିଆଯାଉଛି। ଜାନୁଆରୀ/ଫେବୃଆରୀ ତୁଳନାରେ ଏବେ ଦେଶରେ ଜରୁରୀ ଔଷଧର ଉତ୍ପାଦନ ବୃଦ୍ଧି ପାଉଛି।
ଭାରତରେ ସବୁଠାରୁ କମ ସମୟରେ ପ୍ରଥମେ ୧୦ କୋଟି ପରେ ୧୧ କୋଟି ଓ ୧୨ କୋଟି ଲୋକଙ୍କୁ ଟିକା ଦିଆଯାଇଛି। ବରିଷ୍ଠ ନାଗରିକ ଠାରୁ ଆରମ୍ଭ କରି ଅନ୍ୟ ବର୍ଗର ଲୋକଙ୍କୁ ଟିକା ନେଉଛନ୍ତି। ମେ’ ୧ରୁ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯିବ। ଭାରତରେ ଯେଉଁ ଟିକା ଉତ୍ପାଦନ ହେବ, ତା’ର ୫୦% ରାଜ୍ୟମାନଙ୍କୁ ଦିଆଯିବ। ପୂର୍ବଭଳି କେନ୍ଦ୍ର ସରକାର ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦେବେ। ସରକାରୀ କେନ୍ଦ୍ରଗୁଡ଼ିକରେ ଲୋକଙ୍କୁ ମାଗଣାରେ ଟିକା ମିଳିବ।

ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ ଶ୍ରମିକମାନଙ୍କ ଟିକାକରଣ କରିବେ। ଶ୍ରମିକମାନେ ଯେଉଁଠି ରହୁଛନ୍ତି, ସେହିଠାରେ ହିଁ ରୁହନ୍ତୁ। ସେମାନଙ୍କୁ ସେହି ସ୍ଥାନରେ ହିଁ ଟିକା ଦିଆଯିବ। ରାଜ୍ୟ ସରକାରମାନେ ନିଜନିଜ ଅଞ୍ଚଳରେ କାମ କରୁଥିବା ବାହାର ପ୍ରଦେଶର ଶ୍ରମିକଙ୍କୁ ସମସ୍ତ ପ୍ରକାରର ସହଯୋଗ କରନ୍ତୁ। ସେମାନଙ୍କୁ ଶୀଘ୍ର ଟିକା ମିଳିବ ବୋଲି ପ୍ରତିଶ୍ରୁତି ଦିଅନ୍ତୁ। ଆମକୁ ଜୀବନ ରକ୍ଷା ସହ ଅର୍ଥନୀତିକୁ ମଧ୍ୟ ଗୁରୁତ୍ୱ ଦେବାକୁ ପଡ଼ିବ।

ଆମ ପାଖରେ ପର୍ଯ୍ୟାପ୍ତ ପରିମାଣରେ ପିପିଇ କିଟ୍‌ ଠାରୁ ଆରମ୍ଭ କରି ଟେଷ୍ଟିଂ ଲ୍ୟାବ ରହିଛି। ଆମେ ସମସ୍ତେ ଏକାଠି ଲଢ଼େଇ କରି ଦେଶକୁ ଏଯାଏ ଆଣିଛୁ। ଆଗକୁ ମଧ୍ୟ ଆମେ ଜନଭାଗିଦାରୀ ସହ ଆମେ କରୋନାକୁ ହରାଇ ପାରିବା। ପୂର୍ବବର୍ଷ ତୁଳନାରେ ଏଥର ସବୁକିଛି ବଦଳି ଯାଇଛି।

ଲୋକଙ୍କ ସେବା କରୁଥିବା ସଂଗଠନଗୁଡ଼ିକୁ ମୁଁ ହୃଦୟରୁ ଧନ୍ୟବାଦ ଜଣାଉଛି। ସମସ୍ତେ ସହଯୋଗ କରିବାକୁ ଆଗକୁ ଆସନ୍ତୁ। ଯୁବଗୋଷ୍ଠୀ ଛୋଟଛୋଟ କମିଟି କରି କରୋନା କଟକଣା ମାନିବାକୁ ଲୋକଙ୍କୁ କୁହନ୍ତୁ। ଏହାଦ୍ୱାରା ସରକାରଙ୍କୁ କୌଣସି କଣ୍ଟେନମେଣ୍ଟ ଜୋନ କରିବାର ଆବଶ୍ୟକ ପଡ଼ିବ ନାହିଁ।
ରାଜ୍ୟ ସରକାରମାନେ ପ୍ରବାସୀ ଶ୍ରମିକଙ୍କ ପଳାୟନକୁ ରୋକିବା ପାଇଁ ଯଥାସମ୍ଭବ ପ୍ରୟାସ କରିବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି। ସେ କହିଛନ୍ତି ଯେ ପ୍ରବାସୀ ଶ୍ରମିକମାନେ ଯେପରି ନିଜ ନିଜ ରାଜ୍ୟକୁ ନଫେରନ୍ତି ସେଥିଲାଗି ସଂପୃକ୍ତ ରାଜ୍ୟ ସରକାର ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରନ୍ତୁ। ସେମାନଙ୍କ ଜୀବିକାକୁ ବିପଦରେ ପକାଯିବ ନାହିଁ। ରାଜ୍ୟ ସରକାର ଏହାକୁ ସୁନିଶ୍ଚିତ କରିବାକୁ ଆଶ୍ବାସନା ଦିଅନ୍ତୁ। ଶ୍ରମିକମାନେ ବିଭିନ୍ନ ରାଜ୍ୟରେ ଯଥାରୀତି ରହି କାମ ଜାରି ରଖିବା ସହ ପଳାୟନରୁ ବିରତ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଲେ ଯେ ଗରିବ, ଶ୍ରମିକଙ୍କୁ ମଧ୍ୟ ଟିକାର ଫାଇଦା ମିଳିବ। ଦେଶରେ ଆଗାମୀ ୧ ତାରିଖରୁ ଟିକାକରଣର ତୃତୀୟ ପର୍ଯ୍ୟାୟ ଆରମ୍ଭ ହେବ ଏବଂ ଏହି ପର୍ଯ୍ୟାୟରେ ୧୮ ବର୍ଷରୁ ଅଧିକ ବୟସର ସମସ୍ତଙ୍କୁ କରୋନା ଟିକା ଦିଆଯିବ। ଟିକାକରଣ ଅଭିଯାନ ତ୍ବରାନ୍ବିତ ହୋଇଥିବା ବେଳେ ଏହା ଆଗକୁ ଆହୁରି ବ୍ୟାପକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ରାଜ୍ୟ ସରକାରମାନେ ଲକଡାଉନକୁ ଅନ୍ତିମ ବିକଳ୍ପ ଭାବେ ବ୍ୟବହାର କରନ୍ତୁ। ମାଇକ୍ରୋ କଣ୍ଟେନମେଣ୍ଟକୁ ଅଧିକ ଗୁରୁତ୍ୱ ଦିଅନ୍ତୁ। ଆମକୁ ଜୀବନ ସହ ଅର୍ଥନୀତିକୁ ମଧ୍ୟ ଆଗକୁ ନେବାର ଅଛି। ତେଣୁ ରାଜ୍ୟ ସରକାରମାନେ ଲକଡାଉନ କରିବା ପୂର୍ବରୁ ଭଲ ଭାବେ ସବୁ କିଛି ଭାବନ୍ତୁ। ଆଜି ଦେଶକୁ ଲକଡାଉନରୁ ବର୍ତ୍ତିବାକୁ ହେବ। କିନ୍ତୁ ଦେଶବାସୀ କରୋନା ଗାଇଡଲାଇନକୁ କଡ଼କାଡ଼ି ଭାବେ ପାଳନ କରନ୍ତୁ। ଯୁବଗୋଷ୍ଠୀଙ୍କ ସହଯୋଗ ମିଳିଲେ, ଆଉ ଦେଶରେ ଲକଡାଉନ କରିବାକୁ ପଡ଼ିବ ନାହିଁ ବୋଲି ମୋଦି କହିଛନ୍ତି।