ଜୁନ ତୃତୀୟ ସପ୍ତାହରେ ଓଡିଶା ଛୁଇଁପାରେ ମୌସୁମୀ

ଭୁବନେଶ୍ୱର: ବାତ୍ୟା ବିଗାଡିପାରେ ମୌସୁମୀ ପ୍ରବାହ । ଏମିତି ଆଶଙ୍କା ଦେଖାଦେଇଛି । ସମ୍ଭାବ୍ୟ ବାତ୍ୟା ମୁହଁରୁ ଭାରତ ଉପକୂଳ ବର୍ତ୍ତି ଯାଇପାରେ । କିନ୍ତୁ ବାତ୍ୟା ପରବର୍ତ୍ତୀ ପ୍ରଭାବ ଚିନ୍ତାଜନକ । କେରଳକୁ ମୌସୁମୀ ଆଗମନ ତାରିଖ ସପ୍ତାହେ କି ଦୁଇ ସପ୍ତାହ ଘୁଞ୍ଚି ଯାଇପାରେ । ଓଡିଶା ତାରିଖ ମଧ୍ୟ ଆନୁପାତିକ ଭାବରେ ବିଳମ୍ବିତ ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆଶଙ୍କା କଲେଣି । ଜୁନ ୧୦ ବଦଳରେ ଜୁନ ତୃତୀୟ ସପ୍ତାହରେ ଓଡିଶା ଛୁଇଁପାରେ ମୌସୁମୀ । କେବଳ ସେତିକି ନୁହେଁ ଗ୍ରୀଷ୍ମ ପ୍ରବାହର ଅବଧି ଏବଂ କୋପ ବଢିିପାରେ । ଆସନ୍ତା ତିନି ଚାରି ଦିନ ଭିତରେ ତାପମାତ୍ରା ୪୪ରୁ ୪୫ ଡିଗ୍ରୀ ଛୁଇଁପାରେ ।

ପାଣିପାଗ ବିଶେଷଜ୍ଞଙ୍କଆକଳନ ହେଲା, ବାତ୍ୟା ପ୍ରଭାବରେ ପ୍ରଥମେ ବିଷୁବ ମଣ୍ଡଳ ପଟୁ ମୌସୁମୀ ବାୟୁ ପ୍ରବାହ ଅଧିକ ସକ୍ରିୟ ହୋଇଯିବ । ଫଳରେ ଆଣ୍ଡାମାନକୁ ମେ’ ତୃତୀୟ ସପ୍ତାହରେ ମୌସୁମୀ ଆଗମନ ସମ୍ଭାବନା ଅଛି ।କିନ୍ତୁ, ୧୮ ତାରିଖ ପରେ ବିଷୁବ ମଣ୍ଡଳ ପଟୁ ମୌସୁମୀ ବାୟୁ ପ୍ରବାହ ଦୁର୍ବଳ ହୋଇଯିବା ଆଶଙ୍କା ରହିଛି । ଫଳରେ କେରଳକୁ ଧାର୍ୟ୍ୟ ସମୟ (ଜୁନ୍‌ ୧ ତାରିଖ)ରେ ମୌସୁମୀ ପ୍ରବେଶ କରି ନ ପାରେ । ବିଷୁବ ମଣ୍ଡଳରେ ମୌସୁମୀ ସକ୍ରିୟ ହେବାକୁ ସପ୍ତାହେ କିମ୍ବା ଦୁଇ ସପ୍ତାହ ସମୟ ଲାଗିପାରେ ବୋଲି ଅନୁମାନ କରାଯାଉଛି । କେରଳରେ ଡେରି ହେଲେ ଓଡ଼ିଶାରେ ପହଞ୍ଚିବ ବିଳମ୍ବରେ । ଜୁନ୍‌ ୧୦ ତାରିଖ ବଦଳରେ ଜୁନ୍‌ ତୃତୀୟ ସପ୍ତାହରେ ମୌସୁମୀ ଆସିପାରେ ଓଡ଼ିଶା ।