ରାଜ୍ୟରେ ୧ କୋଟି ପାର କଲା ଟିକାକରଣ

ଭୁବନେଶ୍ୱର,(ଏସ୍ ନ୍ୟୁଜ): ରାଜ୍ୟରେ କୋଟିଏରୁ ଅଧିକ ଡୋଜ୍ କୋଭିଡ୍ ଟିକା ଦିଆଯାଇ ସାରିଲାଣି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ରାଜ୍ୟରେ ଏକ ଯୁଦ୍ଧକାଳୀନ ଭିତିରେ ଚାଲିଛି ଟିକାକରଣ । ଓଡ଼ିଶାରେ ଜାନୁଆରୀ ୧୬ରୁ ଆରମ୍ଭ ହୋଇଥିବା କୋଭିଡ୍ ଟିକାକରଣ ଜାରି ରହିଛି । ବିଶେଷ କରି ରାଜ୍ୟରେ ସ୍ୱାସ୍ଥ୍ୟସେବା କର୍ମୀ,ଆଗଧାଡିର କୋଭିଡ ଯୋଦ୍ଧା ଏବଂ ୧୮ ବର୍ଷରୁ ଉର୍ଦ୍ଧ ଲୋକଙ୍କୁ ଟିକାକରଣ କରାଯାଇ ଏକ କୋଟି ପାର କରି ଯାଇଛି ।
ସମଗ୍ର ଦେଶରେ ଚଳିତ ବର୍ଷ ଜାନୁଆରୀରୁ କୋଭିଡ ଟିକା କରଣ ଆରମ୍ଭ ହୋଇଥିବା ବେଳେ ଓଡିଶାରେ ମଧ୍ୟ ସମାନ ଦିନରେ ଆରମ୍ଭ ହୋଇଥିଲା ଟିକାକରଣ । ରାଜ୍ୟରେ ପୁର୍ବରୁ ଦୈନିକ ଦେଢ ଲକ୍ଷ ଡୋଜ ଟିକାକରଣ କରାଯାଉଥିଲା ବେଳେ ଆଜିଠାରୁ କ୍ୟାମ୍ପେନ ମୋଡରେ ଦୈନିକ ତିନି ଲକ୍ଷ ଟିକାକରଣ କରିବାକୋ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ତେବେ ଦେଶରେ ଜାନୁଆରୀ ୧୬ ଆରମ୍ଭ ହୋଇଥିବା ଏହି କୋଭିଡ ଟିକାକରଣର ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟସେବା କର୍ମୀ,ଆଗଧାଡିର କୋଭିଡ ଯୋଦ୍ଧା ମାନଙ୍କୁ ଟିକାକରଣ କରାଯାଉଥିଲା ବେଳେ ପର ପର୍ଯ୍ୟାୟରେ ୬୦ ବର୍ଷରୁ ଉର୍ଦ୍ଧ ଲୋକ ଏବଂ ପର ପର୍ଯ୍ୟାୟରେ ୪୫ ବର୍ଷରୁ ଉର୍ଦ୍ଧ ଗମ୍ଭୀର ରୋଗରେ ପିଡିତ ରୋଗୀଙ୍କୁ ଟିକାକରଣ କରାଯାଇଥିଲା । ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି କ୍ରମେ ମେ ୧ରୁ ସମଗ୍ର ଦେଶରେ ୧୮ ବର୍ଷରୁ ଉର୍ଦ୍ଧ ଲୋକଙ୍କୁ ଟିକାକରଣ ପାଇଁ ଅନୁମତି ପ୍ରଦାନ କରାଯାଇଥିଲା ।

ରାଜ୍ୟରେ ଟିକାକରଣର ରେକର୍ଡକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । କୋ-ୱିନ୍ ପୋର୍ଟଲରୁ ମିଳିଥିବା ତଥ୍ୟ ଅନୁସାରେ, ରାଜ୍ୟରେ ଏଯାବତ୍ ୧ କୋଟି ୧ ଲକ୍ଷ ୩ ହଜାର ୬୦୭ ଡୋଜ୍ କୋଭିଡ୍ ଟିକା ଦିଆଯାଇଛି । ପ୍ରଥମ ଡୋଜ୍ ଭାବେ ୮୨ ଲକ୍ଷ ୬୯ ହଜାର ୨୨୩ ଜଣଙ୍କୁ ଟିକା ଦିଆଯାଇଥିବା ବେଳେ ୧୮ ଲକ୍ଷ ୩୪ ହଜାର ୩୮୪ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୪ ଲକ୍ଷ ୧୦ ହଜାର ୯୨୨ ଡୋଜ୍ ଟିକା ଦିଆଯାଇଛି । ରାଜ୍ୟର ୧୫୬୫ଟି ସରକାରୀ ଡାକ୍ତରଖାନା ସହ ୩୭ଟି ଘରୋଇ ମେଡିକାଲରେ ଟିକାକରଣ କରାଯାଉଛି ।