ରମେଶ ମାଝୀ, ପଦ୍ମିନୀ ଦିଆନ୍ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର(ଏସ୍ ନ୍ୟୁଜ): କରୋନା ଆକ୍ରାନ୍ତ ହୋଇ ଗୃହ ସଙ୍ଗରୋଧରେ ଥିବା ନବରଙ୍ଗପୁର ସାଂସଦ ରମେଶ ମାଝୀ ଏବଂ ମନ୍ତ୍ରୀ ପଦ୍ମିନୀ ଦିଆନ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଡାକ୍ତରୀ ପରାମର୍ଶକ୍ରମେ ସେମାନଙ୍କୁ କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ସାଂସଦ ରମେଶ ଚନ୍ଦ୍ର ମାଝୀ କିଛିଦିନ ହେବ କରୋନାରେ ଆକ୍ରାନ୍ତ ହୋଇ ଡାକ୍ତରଙ୍କ ପରାମର୍ଶ ନେଇ ହୋମ ଆଇସୋଲସେନରେ ଉମରକୋଟ ସ୍ଥିତ ନିଜ ବାସଭବନରେ ରହୁଥିଲେ। ତେବେ ଗତକାଲି ରାତ୍ରିରେ ସେ ଅସୁସ୍ଥ ଅନୁଭବ କରିବାରୁ ଆଜି ସକାଳରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ନବରଙ୍ଗପୁର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତର ତାଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିବା ପରେ ସାଂସଦଙ୍କୁ ପରବର୍ତ୍ତୀ ଚିକିତ୍ସା ପାଇଁ ଭୁବନେଶ୍ୱର ସମ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯଆଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସାନ ଭାଇ ତଥା ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ସୂଚନା ଦେଇଛନ୍ତି।

ସେହିଭଳି ସେପ୍ଟେମ୍ବର ୩ ତାରିଖରେ କରୋନାରେ ଆକ୍ରାନ୍ତ ହୋଇ ମନ୍ତ୍ରୀ ପଦ୍ମିନୀ ଦିଆନ୍ ଏବଂ ସ୍ୱାମୀ ସଦାଶିବ ଦିଆନ୍ ଗୃହ ସଙ୍ଗରୋଧରେ ଥିଲେ। ଏବେ ସାମାନ୍ୟ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଉଭୟେ ଜୟପୁରସ୍ଥିତ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପଦ୍ମିନୀଙ୍କୁ ମିଶାଇ ଏବେସୁଦ୍ଧା ରାଜ୍ୟରେ ୫ ମନ୍ତ୍ରୀ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ସେମାନେ ହେଲେ ଟୁକୁନି ସାହୁ, ଅରୁଣ ସାହୁ, ସୁଶାନ୍ତ ସିଂ ଏବଂ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ। ଏମାନଙ୍କ ମଧ୍ୟରୁ କେବଳ ସୁଶାନ୍ତ ସିଂ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଅନ୍ୟପଟେ ବହୁ ବିଧାୟକଙ୍କ ସମେତ ରାଜ୍ୟର ୩ ସାଂସଦ କରୋନା ଆକ୍ରାନ୍ତ ହୋଇଛନ୍ତି। ରମେଶ ମାଝୀଙ୍କ ସହ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ କରୋନା ଆକ୍ରାନ୍ତ ହୋଇଥିବା ବେଳେ ବରଗଡ଼ରୁ ବିଜେପି ସାଂସଦ ଥିବା ସୁରେଶ ପୁଜାରୀ ମଧ୍ୟ ସଂକ୍ରମିତ ହୋଇଛନ୍ତି।