ରିୟାଙ୍କ ପାଇଁ ଫସିବେ ସାରା ଓ ରକୁଲପ୍ରୀତ୍

ମୁମ୍ବାଇ: ଏନସିବି ସ୍କାନରରେ ବଲିଉଡ୍ ସେଲିବ୍ରିଟି। ଡ୍ରଗ୍ସ ଲିଙ୍କ୍ ମାମାଲାରେ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏନସିବି ସମ୍ମୁଖରେ ବଲିଉଡର ଅନେକ ସେଲିବ୍ରିଟିଙ୍କ ନାଁ ନେଇଛନ୍ତି | ଅଭିନେତ୍ରୀ ସାରା ଅଲ୍ଲୀ ଖାନ, ରକୁଲପ୍ରୀତ ସିଂହ ଓ ଫ୍ୟାସନ ଡିଜାଇନର ସିମୋନ ଖମ୍ବାଟା ଡ୍ରଗ୍ସ ସେବନ କରୁଥିବା ନେଇ ରିୟା ଏନସିିବିକୁ ଜଣାଇଥିବା ଟାଇମ୍ସ ନାଓ ରିପୋର୍ଟ ଦର୍ଶାଇଛି।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୮ ତାରିଖରେ ଗିରଫ ପୂର୍ବରୁ ରିୟାଙ୍କୁ ଲଗାତାର ୩ ଦିନ ଜେରା କରିଥିଲା ଏନସିବି। ସୁଶାନ୍ତ ସିଂ ରାଜପୁତଙ୍କୁ ସେ ଡ୍ରଗ୍ସ ଆଣି ଦେଉଥିବା ସ୍ୱୀକାର କରିବା ପରେ ତାଙ୍କୁ ଗିରଫ କରାଯାଇଛି। ତେବେ ଜେରା ବେଳେ ବଲିଉଡର ଅନ୍ୟ କେଉଁମାନେ ଡ୍ରଗ୍ସ ଲିଙ୍କରେ ଅଛନ୍ତି ଏନେଇ ରିୟା କିଛି ତଥ୍ୟ ରଖିଥିବାର ଚର୍ଚ୍ଚା ହେଉଥିଲା। ଏବେ ସାରା ଅଲ୍ଲୀ ଖାନ, ରକୁଲପ୍ରୀତ ସିଂହଙ୍କ ସମେତ ଫ୍ୟାସନ ଡିଜାଇନର ସିମୋନ ଖମ୍ବାଟା, ନିର୍ଦ୍ଦେଶକ ମୁକେଶ ଛବ୍ରା ଏବଂ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ରୋହିଣୀ ଆୟରଙ୍କ ନାଁ ରିୟା ମୁହଁରେ ସ୍ୱୀକାର କରିଥିବା ରିପୋର୍ଟରେ ପ୍ରକାଶ ପାଇଛି।

ରିୟା ଏଏନସିବିକୁ ଦେଇଥିବା ୨୦ ପୃଷ୍ଠାର ବୟାନ ଆଧାରରେ ଇଣ୍ଡଷ୍ଟ୍ରିର ୨୫ ଜଣକୁ ସମନ ଜାରି କରିବ ଏନ୍‌ସିବି। ଯେଉଁଥିରେ ବହୁ ଏ ଲିଷ୍ଟର ସାମିଲ୍ ଥିବା ଚର୍ଚ୍ଚା ହେଉଛି। ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀଙ୍କ ସମେତ ମୋଟ ୬ ଜଣଙ୍କୁ ଗିରଫ କରିଛି ଏନସିବି। ଗତକାଲି ସମସ୍ତ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କରିଲେ ମୁମ୍ବାଇର ସ୍ବତନ୍ତ୍ର କୋର୍ଟ। ରିୟାଙ୍କୁ ବର୍ତ୍ତମାନ ସେପ୍ଟେମ୍ବର ୨୨ ପର୍ଯ୍ୟନ୍ତ ବାଇକୁଲା ଜେଲରେ ହିଁ ରହିବାକୁ ହେବ।