ନ୍ୟୁୟର୍କ: ୟୁଏଇ ପରେ ଇସ୍ରାଏଲ ସହ ଶାନ୍ତି ଚୁକ୍ତି କାରିବାକୁ ଯାଉଛି ଆଉ ଏକେ ଗଲ୍ଫ ରାଷ୍ଟ୍ର। କିଙ୍ଗଡମ୍ ଅଫ୍ ବାହାରିନ୍ ଏବଂ ଇସ୍ରାଏଲ୍ ନିଜ ଭିତରେ ଥିବା ସମସ୍ତ ଶତ୍ରୁତା ଭୁଲି ଏବେ ସାଙ୍ଗ ହେବେ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚନା ଦେଇଛନ୍ତି। ମାସେ ଭିତରେ ଦୁଇ ଆରବ ରାଷ୍ଟ୍ରଙ୍କୁ ଇସ୍ରାଏଲ ସହ ଦୋସ୍ତି କରାଇବା ଘଟଣାକୁ ଟ୍ରମ୍ପ ପ୍ରଶାସନର ବଡ଼ କୂଟନୈତିକ ବିଜୟ ବୋଲି କୁହାଯାଉଛି।
ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ବାହାରିନର ରାଜା ହମଦ ବିନ୍ ସଲମାନ ଅଲ୍ ଖଲିଫା ପରସ୍ପର ସହ କଥା ହୋଇଛନ୍ତି। ଆସନ୍ତା ସେପ୍ଟେମ୍ବର ୧୫ ତାରିଖରେ ଉଭୟ ଦେଶ ଆମେରିକାସ୍ଥିତ ହ୍ୱାଇଟ୍ ହାଉସ ପରିସରରେ ଶାନ୍ତି ଚୁକ୍ତିରେ ଶ୍ୱାକ୍ଷର ଦେବେ। ଏହାକୁ ଟ୍ରମ୍ପ ଐତିହାସିକ ନିଷ୍ପତ୍ତି ବୋଲି ଦର୍ଶାଇଛନ୍ତି। ଦୁଇ ବିକଶିତ ସମାଜ ଏବଂ ସ୍ୱଚ୍ଛ ଅର୍ଥନୀତି ଥିବା ଦେଶ ଏକାଠି ଆସିବା ଦ୍ୱାରା ସମଗ୍ର ମଧ୍ୟପ୍ରାଚ୍ୟରେ ସ୍ଥିରତା, ସୁରକ୍ଷା ଏବଂ ସୌହାର୍ଦ୍ଦ୍ୟ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।
ଏହି ଅବସରରେ ଉଭୟ ଦେଶ ଇସ୍ରାଏଲ ଏବଂ ବାହାରିନ୍ ଟ୍ରମ୍ପ ପ୍ରଶାସନଙ୍କୁ ପ୍ରଂସଶାରେ ପୋତି ପକାଇଛନ୍ତି। ମଧ୍ୟପ୍ରାଚ୍ୟରେ ଶାନ୍ତି ଫେରାଇଆଣିବା ଲାଗି ଟ୍ରମ୍ପ୍ ଯେଉଁ ଦାୟିତ୍ୱବୋଧ ସହ ପ୍ରୟାସରତ ଅଛନ୍ତି ତାହାକୁ ସଲାମ୍ ଜଣାଇଛନ୍ତି। ଉଭୟେ ଏହି ଧାରାର ସୁତ୍ରପାତ କରିଥିବାରୁ ୟୁଏଇ ଯୁବରାଜ ଶେଖ୍ ମହମ୍ମଦ ବିନ୍ ଜାୟେଦଙ୍କୁ ମଧ୍ୟ ବାହାବା ଦେଇଛନ୍ତି। ଆଗକୁ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଥିବାରୁ ଇସ୍ରାଏଲ ସମର୍ଥକ ଖ୍ରିଷ୍ଟିଆନ୍ ମାନେ ଟ୍ରମ୍ପଙ୍କୁ ଏହାଦ୍ୱାରା ଭୋଟଦେବେ ବୋଲି ଚର୍ଚ୍ଚା ହେଉଛି।

ଅନ୍ୟପଟେ ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ନିଜ ନାମକୁ ଅଧିକ ଦାବିଦାର କରିଛନ୍ତି ଟ୍ରମ୍ପ। ୟୁଏଇ ସହ ଇସ୍ରାଏଲର ଶାନ୍ତି ଚୁକ୍ତି ପରେ ନରୱେର ଜଣେ ସାଂସଦ ଏହି ପୁରସ୍କାର ପାଇଁ ଟ୍ରମ୍ପଙ୍କ ନାମାଙ୍କନ କରାଇଥିଲେ। ଏବେ ବାହାରିନ୍ ଭଳି ଆରବ ରାଷ୍ଟ୍ରକୁ ମଧ୍ୟ ଇସ୍ରାଏଲ୍ ସହ ସାଙ୍ଗ କରାଇଛନ୍ତି ଟ୍ରମ୍ପ। ଏଥିଯୋଗୁଁ ତାଙ୍କର ନୋବେଲ୍ ପାଇବାର ସମ୍ଭାବନା ବୃଦ୍ଧି ପାଇଛି।