ଏଲପିଏଲ ଖେଳିବେ ମୁନାଫ!

କଲମ୍ବୋ: ଲଙ୍କା ପ୍ରିମିୟର ଲିଗ ବା ଏଲପିଏଲ ଖେଳିପାରନ୍ତି ପୂର୍ବତନ ଭାରତୀୟ ଦଳ ଫାଷ୍ଟ ବୋଲର ମୁନାଫ ପଟେଲ । ଏହି ଟି-ଟ୍ୱେଣ୍ଟି ଲିଗରେ ଖେଳିବାକୁ ଥିବା ବିଦେଶୀ ଖେଳାଳିଙ୍କ ତାଲିକାରେ ମୁନାଫଙ୍କ ନାଁ ରହିଥିବାରୁ ଏଭଳି ଚର୍ଚ୍ଚା ହେଉଛି ।

ଆସନ୍ତା ଅକ୍ଟୋବରରେ ଶ୍ରୀଲଙ୍କାର ଘରୋଇ ଟି-ଟ୍ୱେଣ୍ଟି ପ୍ରିମିୟର ଲିଗ ଏଲପିଏଲ ପାଇଁ ଖେଳାଳିଙ୍କ ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବ । ଏହି ନିଲାମ ପ୍ରକ୍ରିୟାର ସମ୍ମୁଖୀନ ହେବାକୁ ଥିବା ବିଦେଶୀ ଖେଳାଳିଙ୍କ ତାଲିକାରେ ପୂର୍ବତନ ଭାରତୀୟ ପେସର ମୁନାଫ ପଟେଲଙ୍କ ସହ ପାକିସ୍ତାନର ଶାହିଦ ଆଫ୍ରିଦି, ବାଂଲାଦେଶର ଷ୍ଟାର ଅଲରାଉଣ୍ଡର ଶାକିବ ଅଲ ହାସନ, ୱେଷ୍ଟ ଇଣ୍ଡିଜର କ୍ରିସ ଗେଲ, ଡାରେନ ବ୍ରାଭୋ, ଡାରେନ ସାମୀ, ଇଂଲଣ୍ଡର ରବି ବୋପାରା,  ଦକ୍ଷିଣ ଆଫ୍ରିକାର କଲିନ ମୁନରୋ ଓ ଭର୍ଣ୍ଣୋନ୍ ଫିଲାଣ୍ଡରଙ୍କ ଭଳି ଅନ୍ତର୍ଜାତୀୟ ଷ୍ଟାର ଖେଳାଳି ରହିଛନ୍ତି ।


ଏଲପିଏଲର ଉଦଘାଟନି ସଂସ୍କରଣରେ ୫ଟି ଫ୍ରାଞ୍ଚାଇଜ ଭାଗ ନେବେ । ଏହି ଲିଗ ଆଗାମୀ ନଭେମ୍ୱର ୧୪ ରୁ ଡିସେମ୍ବର ୬ ତାରିଖ ପର୍ଯ୍ୟନ୍ତ ଖେଳାଯିବାର କାର୍ଯ୍ୟକ୍ରମ ରହିଛି । ପୂର୍ବରୁ ଏହା ଅଗଷ୍ଟରେ ଖେଳାଯିବା ଲାଗି ଧାର୍ଯ୍ୟ ହୋଇଥିଲା । କିନ୍ତୁ କୋରୋନା ଭାଇରସ କାରଣରୁ ଶ୍ରୀଲଙ୍କା କ୍ରିକେଟ ବୋର୍ଡ (ଏସଏଲସି ) ଲିଗକୁ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଥିଲା । ଏଲପିଏଲରେ ପ୍ରତ୍ୟକ ଫ୍ରାଞ୍ଚାଇଜ ୬ ଜଣ ବିଦେଶୀ ଖେଳାଳିଙ୍କୁ କିଣି ପାରିବ । ସମୁଦାୟ ୩୦ ଜଣ ବିଦେଶୀ ଓ  ୬୫ ଶ୍ରୀଲଙ୍କା ଖେଳାଳି ଏଥିରେ ଭାଗ ନେବେ । ପ୍ରତ୍ୟକ ଫ୍ରାଞ୍ଚାଇଜ ଦଳରେ ସର୍ବାଧିକ ୧୯ ଜଣ ଖେଳାଳିଙ୍କୁ ରଖି ପାରିବେ ।

୩୭ ବର୍ଷୀୟ ମୁନାଫ ୨୦୧୮ରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କରିଥିଲେ । ସେ ତାଙ୍କ କ୍ୟାରିଅରରେ ୧୩ ଟେଷ୍ଟ, ୭୦ ଦିନିକିଆ ଓ ୩ଟି ଟି୨୦ ମ୍ୟାଚ ଖେଳି ଅନ୍ତର୍ଜାତୀୟ କ୍ରିକେଟରେ ମୋଟ ୧୨୧ ୱିକେଟ ନେଇଛନ୍ତି ।  ୨୦୧୧ ବିଶ୍ୱକପ ଚାମ୍ପିୟନ ଭାରତୀୟ ଦଳର ଗୁରୁତ୍ୱପୁର୍ଣ ସଦସ୍ୟ ଥିଲେ । ସେ ପୂରା ଟୁର୍ଣ୍ଣାମେଣ୍ଟରେ ୧୫ ୱିକେଟ ନେଇଥିଲେ । ମୁନାଫ ନିକଟରେ ୟୁଏଇଠାରେ ଖେଳାଯାଇ ଥିବା ଟି ୧୦ ଲିଗରେ ଖେଳିଥିଲେ ।