ପେଟ୍ରୋଲ-ଡିଜେଲ ଦର କମିଲା

ନୂଆଦିଲ୍ଲୀ: କରୋନା ସକାଶେ ପେଟ୍ରୋଲ୍ ଡିଜେଲ୍ ଦର ଅହେତୁକ ବୃଦ୍ଧି ପାଇଛି। ଅନ୍ତର୍ଜାତୀୟ ବଜାରରେ ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ଲିଟର ପିଛା ମୂଲ୍ୟ ବଢ଼ିଥିଲା। ତେବେ ଗ୍ରାହକଙ୍କ ପାଇଁ ଏବେ ଆଶ୍ୱସ୍ତିକର ଖବର ହେଉଛି ଯେ ଲଗାତାର ତିନି ଦିନ ହେଲା ଦର ହ୍ରାସ ପାଉଛି। ଆଜି ପୁଣି ପେଟ୍ରୋଲ ଦର ଲିଟର ପିଛା ୧୩ ପଇସା ଏବଂ ଡିଜେଲ୍ ଦର ୧୨ ପଇସା ହ୍ରାସ ପାଇଛି।

ଦର ହ୍ରାସ ପାଇବା ପରେ ବର୍ତ୍ତମାନ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୧ ଟଙ୍କା ୮୬ ପଇସା ଓ ଡିଜେଲ ଲିଟର ପିଛା ୭୨ ଟଙ୍କା ୯୩ ପଇସା ହୋଇଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୮୮ ଟଙ୍କା ୫୧ ପଇସା ଓ ଡିଜେଲ ୭୯ ଟଙ୍କା ୪୫ ପଇସାରେ ପହଞ୍ଚିଛି। ଏନେଇ ଇଣ୍ଡିଆନ ଅଏଲ ପକ୍ଷରୁ ଜାରି ଦର ତାଲିକାରେ ଦର୍ଶାଯାଇଛି।

ସମାନଭାବେ ତୈଳ ଦର ହ୍ରାସ ପରେ ଭୁବନେଶ୍ୱରରେ ପେଟ୍ରୋଲ ଟ.୮୨.୪୧ ଓ ଡିଜେଲ ଟ. ୭୯.୩୫ ରେ ବିକ୍ରି ହେଉଛି । ତେବେ ଭାଟ୍‌ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ଦେଖାଯାଇପାରେ ବୋଲି ଜଣାପଡ଼ିଛି। ଅନ୍ତର୍ଜାତୀୟ ବଜାରରେ କିଛିଦିନ ଧରି ଅଶୋଧିତ ତୈଳ ଦର ହ୍ରାସ ପାଉଛି ଏବଂ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ସ୍ଥିର ରହିଥିବା ହେତୁ ତୈଳ ଦର କମିଥିବା ବିଶେଷଜ୍ଞ କହିଛନ୍ତି।