କାଲି ନିଟ୍ ପରୀକ୍ଷା, କରୋନା ଆକ୍ରାନ୍ତ ବି ଦେଇପାରିବେ

ଭୁବନେଶ୍ୱର(ଏସ୍ ନ୍ୟୁଜ): ଆସନ୍ତାକାଲି ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ନିଟ୍ ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ସରକାର ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି। ପରୀକ୍ଷାର୍ଥୀଙ୍କ ରହଣି ଏବଂ ଯାତାୟାତ ଲାଗି ବନ୍ଦୋବସ୍ତ କରାଯାଇଥିବା ବେଳେ ପରୀକ୍ଷା କେନ୍ଦ୍ରରେ କରୋନା ଆକ୍ରାନ୍ତ ବି ଦେଇପାରିବେ।

ପରୀକ୍ଷାର୍ଥୀ କରୋନାରେ ଆକ୍ରାନ୍ତ ଥିଲେ ଆଇସୋଲେସନ ରୁମରେ ରହି ପରୀକ୍ଷା ଦେବେ। ସେହି ରୁମରେ ଦାୟିତ୍ୱରେ ଥିବା ନିରୀକ୍ଷକ ପିପିଇ କିଟ୍ ପିନ୍ଧିବେ। ସେହିପରି ଅନ୍ୟ ପରୀକ୍ଷାର୍ଥୀଙ୍କ ପାଇଁ ଗୋଟେ କକ୍ଷରେ ୧୨ ଜଣ ବସିବା ପାଇଁ ବ୍ୟବସ୍ଥା କରାଯାଇଛି। ପିଲାମନେ କିଭଳି ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ପରୀକ୍ଷା ଦେବେ ସେନେଇ ପୁରା ବ୍ୟବସ୍ଥାର ଦାୟିତ୍ୱ ନେଇଛନ୍ତି ରାଜ୍ୟ ସଂଯୋଜକ ପଲ୍ଲୀ ପଟ୍ଟନାୟକ।

ଚଳିତ ବର୍ଷ ସାରା ଦେଶରେ ୧୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମେଡ଼ିକାଲ୍ ପ୍ରେବେଶିକା ପରୀକ୍ଷା ନିଟ୍ ଦେଉଛନ୍ତି। ସେହିଭଳି ଓଡ଼ିଶାରେ ପ୍ରାୟ ୩୭ ହଜାର ପିଲା ପରୀକ୍ଷା ଦେବେ। ଏଥିପାଇଁ ରାଜ୍ୟର ୭ଟି ସହରରେ ୮୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଭୁବନେଶ୍ୱରରେ ସର୍ବାଧିକ ୩୧ଟି ସେଣ୍ଟର ରହିଛି। ପରୀକ୍ଷାର୍ଥୀ ଓ ଅଭିଭାବକଙ୍କ ପାଇଁ ଯାତାୟାତ ଓ ରହଣୀର ସୁବିଧା ସରକାର କରିଛନ୍ତି। ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ନେଇ ମଧ୍ୟ ବ୍ୟବସ୍ଥା ହୋଇଛି।