ନାବାର୍ଡ ପକ୍ଷରୁ ୧୧୦୭୩୫ କୋଟି ଟଙ୍କାର ଋଣ ଯୋଜନା ପ୍ରସ୍ତୁତ

ଭୁବନେଶ୍ୱର(ଏସ୍ ନ୍ୟୁଜ): ନାବାର୍ଡ ପକ୍ଷରୁ ସୋମବାରଦିନ ଆୟୋଜିତ ରାଜ୍ୟସ୍ତରୀୟ ଋଣ ସେମିନାରରେ ରାଜ୍ୟ ଫୋକସ ପେପରକୁ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉନ୍ମୋଚନ କରିଥିଲେ । ଏଥିରେ କୁହାଯାଇଛି ଯେ ନୂଆ ଆର୍ଥିକ ବର୍ଷରେ କୃଷି ଓ ଗ୍ରାମୀଣ କ୍ଷେତ୍ରକୁ ରାଜ୍ୟର ଆନୁମାନିକ ଋଣ ପ୍ରଦାନ ଚଳିତ ଆର୍ଥିକ ବର୍ଷ ତୁଳନାରେ ୨୨.୫ ପ୍ରତିଶତ ବୃଦ୍ଧି ପାଇବ । କୃଷି କ୍ଷେତ୍ରକୁ ଋଣ ପ୍ରଦାନ ଚଳିତ ଆର୍ଥିକ ବର୍ଷ ତୁଳନାରେ ୭.୩୪ ପ୍ରତିଶତ ବୃଦ୍ଧି ପାଇ ୪୬,୪୬୦.୪୦ କୋଟିକୁ ବୃଦ୍ଧି ପାଇବ । କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ପ୍ରାୟ ୪୧୮୬୭ କୋଟି ଟଙ୍କାର ଋଣ ଆବଶ୍ୟକତା ପଡ଼ିବ । ସେହିପରି ସ୍ବୟଂ ସହାୟକ ଗୋଷ୍ଠୀ ଗୁଡ଼ିକ ପାଇଁ ୬୨୯୫ କୋଟି ଟଙ୍କାର ଋଣ ଆବଶ୍ୟକତା ପଡ଼ିବ ବୋଲି ଅନୁମାନ କରାଯାଇଛି

ଏହି ଅବସରରେ ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ ଯେ ଚଳିତ ଆର୍ଥିକ ବର୍ଷରେ ଅଗ୍ରାଧିକାର କ୍ଷେତ୍ର ଲାଗି ୧ ଲକ୍ଷ କୋଟିର ଋଣ ପ୍ରଦାନ ଲକ୍ଷ୍ୟ ରଖାଯାଇଥିଲା, ଯାହାକୁ ବ୍ୟାଙ୍କମାନେ ହାସଲ କରିନେଇଛନ୍ତି । ଏଥିପାଇଁ ସେମାନେ ଧନ୍ୟବାଦର ପାତ୍ର ।