ନବୀନଙ୍କ ବିକାଶ ବନ୍ୟାରେ ଭାସିଗଲା ଆଲୁମିନିୟମ କାରଖାନା

୧୮ ବର୍ଷ ଧରି ଅନାଇଛନ୍ତି ଜମିହରା ପରିବାର

ଚାଲନ୍ତୁ ରାୟଗଡ଼ା ଜିଲ୍ଲାର ଶିଳ୍ପ ବିକାଶ ଚିତ୍ରକୁ ଟିକେ ନିରେଖି ଦେଖିବା । କାଶୀପୁର ବ୍ଲକ କାଂସାରିଗୁଡ଼ା ଅଂଚଳରେ ଆଲୁମିନିୟମ କାରଖାନା କରିବା ପାଇଁ ଆଦିତ୍ୟ ବିର୍ଲା କଂପାନୀ ହାତକୁ ୨୦୦୫ ମସିହାରେ ଜମି ଟେକି ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାୟ ୨୫୦୦ ଏକର ଜମି ଦଖଲ କରିଛି କଂପାନୀ । କ୍ଷତିପୂରଣ ବାବଦକୁ ଜମି ମାଲିକଙ୍କ ହାତରେ ଧରାଇ ଦେଇଥିଲା ଏକର ପିଛା ୩ ଲକ୍ଷ ୪୪ ହଜାର ଟଙ୍କା ।

୨୦୦୫ ମସିହାରେ ବିଜେପି-ବିଜେଡି ମେଂଟ ସରକାର ଅଂଚଳ ବାସିନ୍ଦାଙ୍କୁ ବିଜୁବାବୁଙ୍କ ସ୍ୱପ୍ନ ଦେଖାଇ କହିଥିଲେ, କଂପାନୀ ହେଲେ ଗାଁ ପିଲାମାନେ ଚାକିରି ପାଇବେ । ବେକାରୀ ସମସ୍ୟା ଦୂର ହୋଇଯିବ । ଖାସ୍‌ ସେଇ ଲୋଭରେ ଜମି ବାବଦ ଟଙ୍କାରେ ପିଲାଙ୍କୁ ପାଠ ପଢ଼ାଇଥିଲେ ଗରିବ ପରିବାର ।

୧୮ ବିତିଗଲା । ଗରିବ ପରିବାରର ଶିକ୍ଷିତ ପିଲାମାନଙ୍କୁ ଚାକିରି ମିଳିଲାନି । ଆଦିତ୍ୟ ବିର୍ଲା ଦଖଲ କରିଥିବା ଜମିରେ କଂପାନୀ ଠିଆ ହୋଇ ପାରିଲାନି । ଏଇ ହେଉଛି ଆମ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବିକାଶ ଚିତ୍ର । ଆପଣମାନଙ୍କୁ ଆମ କଥା ମିଛ ଲାଗୁଥିଲେ, ଆରାମରେ କାଂସାରିଗୁଡ଼ା ଅଂଚଳକୁ ଯାଇ ବାସ୍ତବ ସ୍ଥିତି ପରଖି ଆସନ୍ତୁ ।

ସତକଥା ହେଉଛି, ଯୋଉ ସରକାରଙ୍କ ମୁଖ୍ୟ ଆଭିମୁଖ୍ୟ ହେଉଛି ଝିଂଟିକା ମାରି ବଣି ପୋଷିବା । ସେଠି ଗରିବ ପିଲାଙ୍କ କଥା ଶୁଣିବ କିଏ? କିଛିବର୍ଷ ତଳେ ଏ ଦେଶର ସୁପ୍ରିମକୋର୍ଟ କହିଥିଲେ, ଏ ଦେଶକୁ ଏକା ଭଗବାନ ସାହା ।