ଭଲ ବ୍ୟବସାୟ ରାଜନୀତି

୨୦୨୩ ମସିହା ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା କୋଉ ରାଜନୈତିକ ଦଳ କେତେ ପରିମାଣର ଚାନ୍ଦା ଆଦାୟ କରିଛନ୍ତି । ସେ ସଂପର୍କୀତ ତଥ୍ୟ ନିର୍ବାଚନ କମିଶନଙ୍କ ନିକଟରୁ ଲୋଡ଼ିଛନ୍ତି ସୁପ୍ରିମକୋର୍ଟ । ସେଥିପାଇଁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ସହାୟତା ନେବା ପାଇଁ ସୁପ୍ରିମକୋର୍ଟ ନିର୍ବାଚନ କମିଶନକୁ ପରାମର୍ଶ ଦେଇଛନ୍ତି ।
ଗୁରୁବାର ଦିନ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ସଂଜୀବ ବିଆର ଗୱାଇ, ଜଷ୍ଟିସ୍‌ ଜେବି ପାରଦିୱାଲା ଓ ଜଷ୍ଟିସ୍‌ ମନୋଜ ମିଶ୍ରଙ୍କ ଖଣ୍ଡପୀଠ ଏକ ମାମଲାର ବିଚାର କରି ଏପରି ଆଦେଶ ଦେଇଛନ୍ତି ।

ସବୁଠାରୁ ବଡ଼କଥା ହେଉଛି, ୨୦୧୭ ମସିହାରେ ନିର୍ବାଚନ ବଣ୍ଡ ବିକାକିଣା ଆରମ୍ଭ କରାଯାଇଥିଲା ଯାହାର ସଂପୂର୍ଣ୍ଣ ତଥ୍ୟ ନିର୍ବାଚନ କମିଶନଙ୍କ ନିକଟରେ ନାହିଁ । ଖୋଦ ନିର୍ବାଚନ କମିଶନଙ୍କ ମାର୍ଫତରେ ନିର୍ବାଚନ ବଣ୍ଡ କିଣାବିକା ହେଲା, କିନ୍ତୁ ତାଙ୍କ ନିକଟରେ କୌଣସି ତଥ୍ୟ ନାହିଁ । କଥାଟା ହଜମ ହେଉନି । କ୍ଷମତାସୀନ ମେଂଟ ଚାପରେ ପଡ଼ି ଦେଶର ଗୋଟିଏ ସାମ୍ବିଧାନିକ ସଂସ୍ଥା ଆଉ ଗୋଟିଏ ସାମ୍ବିଧାନିକ ସଂସ୍ଥା ସହିତ ଚାଲ କରୁନାହିଁ ତ?

ସାମ୍ବିଧାନିକ ସଂସ୍ଥାରୁ ଚାଲନ୍ତୁ ଟିକେ ନେଇଯିବି ସମ୍ବିଧାନ ଆଡକୁ । ବଡ଼ ବିଚିତ୍ର ଆମ ସମ୍ବିଧାନ । ପୃଥିବୀ ସବୁଠାରୁ ବଡ଼ ସମ୍ବିଧାନ ଭାବେ ପରିଚିତ ଆମ ସମ୍ବିଧାନ ଦେଖିବାକୁ ଭାରି ମୋଟା । ହେଲେ ତା’ର ପ୍ରଭାବ ଭାରି ଦୁର୍ବଳ ।

ଉଇ ଦି ପିପୁଲ ଅଫ୍‌ ଇଣ୍ଡିଆ ଲେଖି ଯୋଉମାନେ ଆମକୁ ସମ୍ବିଧାନର ମୁଖ୍ୟ ନାୟକ ଭାବେ ସଜାଇ ଦେଇଛନ୍ତି । ସେଇମାନେ ହିଁ ସମ୍ବିଧାନର ପ୍ରତି ବାକ୍ୟରେ ଦୁର୍ନୀତି ଓ ଭ୍ରଷ୍ଟାଚାର କରିବା ପାଇଁ ଗଳାବାଟ ତିଆରି କରିଛନ୍ତି । ଯାହା ଫଳରେ ଆପଣ ଜଳକା ହୋଇ ଅନାଇଥିବେ, ଶାସନ କଳକୁ ପରିଚାଳନା କରୁଥିବା ଉଚ୍ଚ ଅଧିକାରୀମାନେ ରାଜକୋଷକୁ ଲୁଟି ଚାଲିଥିବେ ।

ଏ ଦେଶର ମହାହିସାବ ରକ୍ଷକ ରାଜକୋଷରୁ କେତେ ଟଙ୍କା କୋଉ ବାଟ ଦେଇ ଗଳିଯାଇଛି, ତାହା କହିଦେବାର ଅଧିକାର ରଖିଛନ୍ତି । ମାତ୍ର ମୁଖ୍ୟମନ୍ତ୍ରୀ ଅବା ମୁଖ୍ୟ ଶାସନ ସଚିବଙ୍କୁ କାଠଗଡ଼ାରେ ଠିଆ କରିବାର ଅଧିକାର ରଖିନାହାନ୍ତି ।

ଯାହାକୁ ଅସ୍ତ୍ର କରି ଆପଣ ଆପଣଙ୍କୁ ହାତ ହଲାଇବାକୁ ଅଧିକାର ଦେଇଛି, କିନ୍ତୁ କାହାକୁ ଚାପୁଡ଼ା ମାରିବାକୁ ଅଧିକାର ଦେଇନାହିଁ । ଗଣତନ୍ତ୍ର ଶାସନରେ ସାଧାରଣ ଜନତା ହେଉଛନ୍ତି ରାଜା । କାହାକୁ ଚାପୁଡ଼ା ମାରିବାର ଅଧିକାର ରାଜାକୁ ଦିଆଯାଇନି । ୟେ କି ପ୍ରକାର ସମ୍ବିଧାନ, ଯୋଉଠି ରାଜ କର୍ମଚାରୀଙ୍କ ସୁବିଧା ଅସୁବିଧା ପାଇଁ ରାଜକୋଷକୁ ଖୋଲି ଦିଆଯାଉଛି । କିନ୍ତୁ ରାଜାଙ୍କ ପାଇଁ ରାଜକୋଷରୁ ଟଙ୍କାଟିଏ ବାହାରି ପାରୁନି । ଏଠି ରାଜାକୁ ଖାଡ଼ା ଉପାସରେ ରାତି କଟାଇବାକୁ ବାଧ୍ୟ କରାଯାଉଛି । କିନ୍ତୁ ରାଜ କର୍ମଚାରୀଙ୍କ ପାଇଁ ରାଜାଙ୍କ ଜମି, ପାଣି, ଜଙ୍ଗଲ ବିକି ଦିଆଯାଉଛି । ସବୁ କେଳେଙ୍କାରୀ ମୂଳରେ ଆମ ସମ୍ବିଧାନର ଗଳାବାଟ ଦାୟୀ ।