ପାଣ୍ଡିଆନଙ୍କ ଅଠାକାଠିରେ ପଡ଼ିଗଲେ ନବୀନ

ପ୍ରତି ପଂଚାୟତକୁ ୫୦ ଲକ୍ଷ ଟଙ୍କାର ନିର୍ବାଚନ ଭେଟି

ରାଜକୋଷରୁ ଟଙ୍କା ଗଣି ଭୋଟ ହାତେଇବା କଳାଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶିଖାଇଥିଲେ ପରଲୋକଗତ ପ୍ରଶାସନିକ ଅଧିକାରୀ ବନାମ ରାଜନେତା ପ୍ୟାରିମୋହନ ମହାପାତ୍ର । ତାଙ୍କ ଶିଷ୍ୟ ଭିକେ ପାଣ୍ଡିଆନ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବିଶ୍ୱସ୍ତ ଭୃତ୍ୟ । ବାବୁଙ୍କର ପଦବୀ ମୁଖ୍ୟମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବ । ମାତ୍ର ତାଙ୍କ କ୍ଷମତା ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କଠାରୁ ଆହୁରି ଉପରେ ।

ବିଜୁବାବୁଙ୍କ ଓଡ଼ିଶା ନାମରେ ପାଂଚପାଳି ମୁଖ୍ୟମନ୍ତ୍ରୀ ହେବା ପରେ ବାବୁ ନବୀନ ଏବେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ମୁତାବକ ଗରିବଙ୍କ ଝାଳରେ ଗଠିତ ରାଜକୋଷରୁ ପ୍ରତି ପଂଚାୟତକୁ ୫୦ ଲକ୍ଷ ଟଙ୍କା ଭେଟି ଦେଇ ଭୋଟ ସାଉଁଟିବା ।

ସରକାରଙ୍କ ଏହି ଯୋଜନାରେ ନିର୍ବାଚିତ ଲୋକପ୍ରତିନିଧିଙ୍କ ଭୂମିକା ଅତି ନଗଣ୍ୟ । ସରକାରୀ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗାଁ ଟାଉଟରଙ୍କ ହାତକୁ ଟଙ୍କା ପ୍ରଦାନ କରାଯିବାର ବାଟଟି ଏବେ ହାଇକୋର୍ଟରେ ବିଚାରାଧୀନ ।

ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକର ୯ ଜଣ ସରପଂଚ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ଫଳରେ ବାଲେଶ୍ୱର ଜିଲ୍ଲାପାଳ ଓ ବସ୍ତା ବିଡିଓ ହାଇକୋର୍ଟକୁ ଟାଣି ହୋଇଯାଇଛନ୍ତି । ବିନା ପଲ୍ଲୀସଭା ଓ ଗ୍ରାମସଭାରେ ୫୦ ଲକ୍ଷ ଟଙ୍କା ପ୍ରଦାନ ମାମଲାରେ ସରକାର କ’ଣ କହିବେ, ତାହା ଅକ୍ଟୋବର ୧୯ ତାରିଖରେ ଜଣାପଡ଼ିବ ।