ରାଜ୍ୟବାସୀଙ୍କୁ ଗୋଲାମ କରି ରଖିଛନ୍ତି ନବୀନ

ଆୟୁଷ୍ମାନ ଭାରତ ଯୋଜନାରୁ ଓଡ଼ିଶାକୁ ବାଦ ….

ଭୁବନେଶ୍ୱର: ଆୟୁଷ୍ମାନ ଭାରତ ଯୋଜନାରୁ ଓଡ଼ିଶାକୁ ବାଦ ଦିଆଯାଇଛି; ଯୋଜନାଟିରେ ଏଭଳି କିଛି ଗଳାବାଟ ରହିଛି ଯାହାକୁ ଆଧାର କରି ରାଜ୍ୟର ନବୀନ ସରକାର ସାଢେ଼ ଚାରିକୋଟି ଲୋକଙ୍କୁ ଭୂଅାଁ ବୁଲାଉଛନ୍ତି । ଏଭଳି ଗଳାବାଟ ରଖିବା ପଛରେ କେନ୍ଦ୍ରର ମୋଦୀ ସରକାରଙ୍କର କ’ଣ ଅଭିସନ୍ଧି ରହିଛି? ବିଜେପିର ରାଜ୍ୟ ନେତାମାନେ ସେ ସଂପର୍କରେ ନିରବ ରହୁଛନ୍ତି । କରୋନା ଟୀକା ସମୟରେ ସେମିତି ଏକ ଗୁରୁତର ସମସ୍ୟା ସୃଷ୍ଟି କଲେ ମୋଦୀ ସରକାର । ବହୁ ବିତର୍କ ପରେ କୋଭିଡ୍‌ ଟୀକାର ସବୁ ଖର୍ଚ୍ଚ ଭରଣା କଲେ କେନ୍ଦ୍ର ସରକାର । ଲୋକପ୍ରିୟ ଯୋଜନାକୁ କାର୍ଯ୍ୟକାରୀ କରିବା ବାଟରେ କେନ୍ଦ୍ର-ରାଜ୍ୟ ଭିତରେ ମଧୁର ସଂପର୍କ ଜରୁରୀ ।

କେନ୍ଦ୍ର ସରକାରଙ୍କ ତିନି ତଲାକ, ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଭଳି ମାମଲାରେ ନବୀନ ସରକାର ଆଗ୍ରହୀ । ମାତ୍ର କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାଟି ନବୀନ ସରକାରଙ୍କ ଆଖିରେ କଂଟା ସାଜିବାର କାରଣ?

ନବୀନ ସରକାରଙ୍କ ମତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାଟି କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାଠାରୁ ବେଶ ସହଜ । କିନ୍ତୁ ତା’ର ବାସ୍ତବ ସ୍ଥିତି ରାଜ୍ୟର ସବୁ ସରକାରୀ ଓ ବେସରକାରୀ ଡାକ୍ତରଖାନାଗୁଡ଼ିକରେ ଦେଖିବାକୁ ମିଳୁଛି । କେତୋଟି ଘରୋଇ ଡାକ୍ତରଖାନା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡକୁ ଅପବ୍ୟବହାର କରୁଥିବାର ନଜିର ଗଣମାଧ୍ୟମ ଦୃଷ୍ଟିକୁ ଆସିଛି । ଘରୋଇ ଡାକ୍ତରଖାନା କଥା ଛାଡ଼ନ୍ତୁ, ଆମ ସରକାରଙ୍କ ଦୃଷ୍ଟିହୀନତା ପ୍ରତି ଟିକେ ନଜର ପକାନ୍ତୁ । ରାଜ୍ୟର ପ୍ରତି ପୁଲିସ ପରିବାରକୁ ସ୍ୱାସ୍ଥ୍ୟବୀମା ଯୋଜନା ଅନ୍ତର୍ଭୁକ୍ତ କରିବା ପାଇଁ ପୂର୍ବତନ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଏକ ରିପୋର୍ଟ ତିଆରି କରି ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ । ମାତ୍ର ସେ ରିପୋର୍ଟ ଆଉ ସରକାରଙ୍କ ପାଖରେ ନାହିଁ ବୋଲି ଶୁଣିବାକୁ ମିଳୁଛି । ନବୀନ ସରକାରଙ୍କ ଦୃଷ୍ଟିଦୋଷ ଅଛି ବୋଲି ଆମେ ଏବେ ଜାଣିବାକୁ ପାଇଲୁ । ମହାରାଷ୍ଟ୍ର ସରକାରଙ୍କ ଏକ ଯୋଜନାକୁ ଓଡ଼ିଶାରେ କାର୍ଯ୍ୟକାରୀ କରିବାର ମସୁଧା ଚାଲିଥିଲା । ମାତ୍ର କୋଉ କାରଣରୁ ୫ ବର୍ଷ ହେଲା ଉକ୍ତ ରିପୋର୍ଟ ନାଲିଫିତା ତଳେ ପଡ଼ିରହିଛି । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ନବୀନ ସରକାର ଉକ୍ତ ରିପୋର୍ଟ ଉପରେ ବସି ଯାଇଥିବେ । ନିର୍ବାଚନ ପୂର୍ବରୁ ପୁଲିସ କର୍ମଚାରୀଙ୍କୁ ବୀମାଭୁକ୍ତ କରି ଭୋଟ ଖଣ୍ଡିଏ ଲେଖାଏଁ ହାତେଇବାର ଯୋଜନା ରଖିଥିବେ ନବୀନବାବୁ ।