ନବୀନଙ୍କ ମାୟା ନାରାୟଣଙ୍କୁ ଅଗୋଚର

ସ୍ଥାୟୀ ନିଯୁକ୍ତି ପ୍ରକ୍ରିୟାରୁ ଠିକା ଶିକ୍ଷକ ଗୋଷ୍ଠୀ ବାଦ….

ଭୁବନେଶ୍ୱର: ବଡ଼ ଆଶା କରିଥିଲେ ରାଜ୍ୟର ଠିକା ଶିକ୍ଷକ ସମାଜ । ଠିକା କର୍ମଚାରୀଙ୍କ ଚାକିରିକୁ ସ୍ଥାୟୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ଶୁଣିବା ପରେ ବହୁ ଶିକ୍ଷକ ଗଣମାଧ୍ୟମ ଆଗରେ ସେମାନଙ୍କ ମନର କଥା କହିଥିଲେ । ଏପରିକି ଅଧିକାଂଶ କନ୍ୟାପିତା ଠିକା ଶିକ୍ଷକଙ୍କୁ କନ୍ୟାଦାନ କରି ଝିଅର ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲି ଦେବେନି ବୋଲି ବିବାହ ବୟସ ଅତିକ୍ରମ କରିଥିବା କିଛି ଶିକ୍ଷକଙ୍କଠାରୁ ଶୁଣିବାକୁ ମିଳିଥିଲା ।

ସ୍ଥାୟୀ ନିଯୁକ୍ତି ପାଇବା ପରେ ବହୁ ଶିକ୍ଷକଙ୍କ ବିବାହ ଯୋଗ ଫିଟିଯିବାର ସମ୍ଭାବନା ଦେଖା ଦେଇଥିଲା । ମାତ୍ର ମୁଖ୍ୟମନ୍ତ୍ରୀଙ୍କ ଘୋଷଣାରୁ ଠିକା ଶିକ୍ଷକ ସମାଜ ବାଦ୍‌ ପଡୁଥିବା କଥା ଶୁଣିବା ପରେ ବିବାହ ପାଇଁ ଅପେକ୍ଷା କରିଥିବା ଦରବୁଢ଼ା ଠିକା ଶିକ୍ଷକଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି ।

ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଏକଲକ୍ଷ ଠିକା ଶିକ୍ଷକ ଶିକ୍ଷୟିତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷପାତର ଶିକାର ହୋଇଛନ୍ତି । ସବୁ ବର୍ଗର କର୍ମଚାରୀଙ୍କ ଠିକା ନିଯୁକ୍ତି ନିୟମ ଉଚ୍ଛେଦ ଓ ଠିକା ନିଯୁକ୍ତିକୁ ମୂଳ ଚାକିରିରେ ଗଣନା କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ ମଧ୍ୟ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରତି ଅବିଚାରକୁ ମହାସଂଘ ସମାଲୋଚନା କରିଛି ।

ଭୁବନେଶ୍ୱର ଶିକ୍ଷକ ଭବନରେ ଅନୁଷ୍ଠିତ ନିଖିଳ ଉକ୍ରଳ ପ୍ରାଥମିକ ଶିକ୍ଷକ ସଂଘ ବୈଠକରେ ବହୁ ଶିକ୍ଷକ ସରକାରଙ୍କ ପକ୍ଷପାତ ଉପରେ ଆଲୋଚନା କରି ଭିନ୍ନ ପ୍ରତିକ୍ରିୟା ପ୍ରକାଶ କରିଥିଲେ । ସରକାର ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଠିକା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରକ୍ରିୟାରେ ସାମିଲ କରନ୍ତୁ ଅନ୍ୟଥା ଶିକ୍ଷକ ମହାସଂଘ ପୁଣି ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ୨୦୦୧ରୁ ସରକାର ଶିକ୍ଷା ସହାୟକଙ୍କୁ ନିଯୁକ୍ତ କରିଥିଲେ । ମାମୁଲି ଦରମାରେ ଦୀର୍ଘ ୬ ବର୍ଷ ଧରି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାମ କରିବା ପରେ ନିୟମିତ କର୍ମଚାରୀ ଭାବେ ଘୋଷିତ ହୋଇଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠିକା ଘୋଷଣାକୁ ଶୁଣିବା ପରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଠିକା କର୍ମଚାରୀମାନେ ଆଗ ଖୁସିରେ ପାଗଳ ହୁଅନ୍ତୁ ନାହିଁ ବୋଲି ଏନ୍‌ୟୁବିସି ନେତା ସୀତାରାମ ବେହେରା ପ୍ରତିକ୍ରିୟା ପ୍ରକାଶ କରିଚନ୍ତି । ଠିକା କର୍ମଚାରୀଙ୍କ ଭିତରେ ଫାଟ ସୃଷ୍ଟି କରି ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନକୁ ଅତିକ୍ରମ କରିବା ମୁଖ୍ୟମନ୍ତ୍ରୀଙ୍କର ଅସଲ ଉଦ୍ଦେଶ୍ୟ ।

ସତ କହିଲେ ଆମ ମୁଖ୍ୟମନ୍ତ୍ରୀଙ୍କ ମନକଥା କେବଳ ପାଣ୍ଡିଆନଙ୍କୁ ଜଣା । ଠିକ୍‌ ଯେମିତି ପ୍ରଧାନମନ୍ତ୍ରୀ ମୋଦୀଙ୍କ କଥା କେବଳ ସୀତାରମଣଙ୍କୁ ଜଣା । ସରକାରଙ୍କ ପ୍ରଶାସନିକ ଭାଷାକୁ ଭଲ ଭାବେ ବୁଝିବାର କ୍ଷମତା ଶିକ୍ଷା ସହାୟକଙ୍କ ନିକଟରେ କୋଉଠୁ ଆସିବ; ସେମାନେ କ’ଣ ମସୌରୀ କେନ୍ଦ୍ରରୁ ତାଲିମ ପାଇଛନ୍ତି?